କନକ ବ୍ୟୁରୋ : ରାତି ପାହିଲେ ସାର ପାଇଁ ଦହଗଞ୍ଜ ହେଉଛନ୍ତି ଚାଷୀ । କେଉଁଠି ଜରିପାଲ ତ ପୁଣି କେଉଁଠି ଆଧାରକାର୍ଡ, ଚାଷୀଙ୍କ ପାଇଁ ଲାଇନରେ । ଉତ୍କଟ ସାର ସମସ୍ୟାକୁ ନେଇ ଆଜି ସମୀକ୍ଷା କରିବା ସହ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ । ଏଥିରୁ ଜଣାପଡୁଛି ରାଜ୍ୟରେ ସାର ସଙ୍କଟ କେତେ ଉତ୍କଟ । ସାର ବସ୍ତାଏ ପାଇଁ ଘଣ୍ଟା ଘଣ୍ଟା ନୁହେଁ ରାତି ରାତି ଅପେକ୍ଷା କରୁଛନ୍ତି ଚାଷୀ । ବଣାଇ ନରେନ୍ଦ୍ର ପଞ୍ଚାୟତକୁ ମାତ୍ର ୨୦୦ ବସ୍ତା ସାର ଆସିଥିଲେ ମଧ୍ୟ ତାହା ହାତୀକୁ ହୋମିଓପାଥି ଭଳି । ତେଣୁ ଆଧାରକାର୍ଡ ଓ ଜରି ବସ୍ତାକୁ ଧାଡ଼ିରେ ରଖି ସାର ଅପେକ୍ଷାରେ ଚାଷୀ। ଦେଓଗାଁ ବ୍ଲକ ବନ୍ଧପଡ଼ାରେ ବି ସମାନ ସ୍ଥିତି । ଗୋଦାମ ଘରେ ସାର ପଡ଼ିଛି କିନ୍ତୁ ଚାଷୀଙ୍କ ସଂଖ୍ୟା ଅଧିକ ଥିବାରୁ ସାର ନପାଇ ୪ ଦିନ ହେବ ଫେରୁଛନ୍ତି ଚାଷୀ । ଧରାକୋଟ ବ୍ଲକରେ ଚାଷୀଙ୍କ ତୁଳନାରେ ସାର କମ୍ ଥିବାରୁ ସୋସାଇଟିରେ ଚାବି ପକାଇ ପଳାଇଛନ୍ତି ଅଧିକାରୀ ।
ସାର ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
କଳାବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅ
ତୃଣମୂଳସ୍ତରରେ ସାର ସଙ୍କଟ ଭିତରେ ରାଜଧାନୀରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ପ୍ୟାକ୍ସ ଓ ଲ୍ୟାମ୍ପସରେ ସାର ଆବଣ୍ଟନ ଠିକ୍ ଢଙ୍ଗରେ କରନ୍ତୁ ଜିଲ୍ଲାପାଳ । ଚଢ଼ାଉ ବେଳେ ସାରକୁ ଜବତ ନକରି ପ୍ୟାକ୍ସ ଓ ଲ୍ୟାମ୍ପସକୁ ସ୍ଥାନାନ୍ତରଣ । ସାରର କଳାବଜାରୀ ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବର ୩୦ ସୁଦ୍ଧା ଆବଶ୍ୟକ ଥିବା ୯ ଲକ୍ଷ ୫୫ ହଜାର ମେଟ୍ରିକ ଟନ୍ ସାର ଯୋଗାଇଛି କେନ୍ଦ୍ର । ଏବେ ରାଜ୍ୟରେ ୧୧ ଲକ୍ଷ ୬୬ ହଜାର ମେଟ୍ରିକ୍ ଟନ୍ ସାର ମଧ୍ୟରୁ ୯ ଲକ୍ଷ ୮୫ ହଜାର ୯୬୭ ମେଟ୍ରିକ୍ ଟନ୍ ସାର ବିକ୍ରି ହୋଇଛି । ଏହି ତଥ୍ୟ ଦେଖାଇ ରାଜ୍ୟରେ ସାରର ଅଭାବ ନଥିବା କହିଛନ୍ତି ମନ୍ତ୍ରୀ । ସରକାର କହୁଛନ୍ତି ରାଜ୍ୟରେ ପର୍ଯ୍ୟାପ୍ତ ସାର ଅଛି । ହେଲେ ତୃଣମୂଳସ୍ତରରେ ଚାଷୀଙ୍କ ପାଖରେ ସାର ପହଞ୍ଚିପାରୁନି କାହିଁକି ?