କନକ ବ୍ୟୁରୋ : ସରଣ୍ଡା ଜଙ୍ଗଲରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍ । ଲୁଟ୍ ବିସ୍ଫୋରକର ସନ୍ଧାନ ମିଳିବା ପରେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ୍କୁ ଜୋରଦାର କରାଯାଇଛି । ସୁନ୍ଦରଗଡ଼ ବାଙ୍କୋ ପଥର ଖଣିରୁ ସଶସ୍ତ୍ର ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଗାଡ଼ି ଲୁଟ୍ ହେବାର ତିନି ଦିନ ପରେ ସରଣ୍ଡା ଜଙ୍ଗଲର ତିର୍ଲିପୋଷିଠାରେ ଲୁଟ୍ ବିସ୍ଫୋରକର ସନ୍ଧାନ ମିଳିଛି । ତିର୍ଲିପୋଷି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ଯବାନମାନେ ଲୁଟ୍ ହୋଇଥିବା ବିସ୍ଫୋରକର ସନ୍ଧାନ ପାଇଛନ୍ତି । ଯବାନମାନଙ୍କୁ ଦେଖିବା ମାତ୍ରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏକ ଘଣ୍ଟା ଧରି ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଓବାଦୀମାନେ ବିଛାଇଥିବା ଆଇଇଡି ବିସ୍ଫୋରଣ ହେବାରୁ ସିଆର୍ପିଏଫ୍ କୋବ୍ରା ୨୦୯ ବାଟାଲିୟନ୍ର ଯବାନ ସୁନୀଲ କୁମାର ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଝାଡ଼ଖଣ୍ଡ ମନୋହରପୁର ହସ୍ପିଟାଲ ଓ ପରେ ରାଉରକେଲା ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ମଧ୍ୟ କରିଥିବା ସୂଚନା ମିଳିଛି ।
ମିଳିଲା ଲୁଟ୍ ବିସ୍ଫୋରକ
ଯେଉଁ ସ୍ଥାନରେ ବିସ୍ଫୋରକ ରଖାଯାଇଥିଲା ସେଠାରେ ବହୁସଂଖ୍ୟକ ମାଓବାଦୀ ‘ଆମ୍ବୁସ୍’ କରି ରହିଥିଲେ
ସର୍ଚ୍ଚ ଅପରେସନ୍ ସମୟରେ ମାଓ ଆଡ୍ଡାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଛି
ୟୁନିଫର୍ମ ଓ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀ ଜବତ କରାଯାଇଛି
ଲୁଟ୍ ବିସ୍ଫୋରକରୁ ୭୦ପ୍ରତିଶତ ଉଦ୍ଧାର ହୋଇଛି
ବାକି ୩୦ ପ୍ରତିଶତ ବିସ୍ଫୋରକର ସନ୍ଧାନ ପାଇଁ ଉଦ୍ୟମ ଚାଲିଛି
ଅପରେସନ୍ରେ ଝାଡ଼ଖଣ୍ଡ ଚାଇବାସା ପୁଲିସ ସାମିଲ
ଝାଡ଼ଖଣ୍ଡ ଜାଗୁଆର ଓ ସିଆର୍ପିଏଫ୍ କୋବ୍ରା ବାହିନୀର ଯବାନ ସାମିଲ
ସୁରକ୍ଷାବାହିନୀ ତିର୍ଲିପୋଷି ଜଙ୍ଗଲକୁ ଚାରିପାଖରୁ ଘେରି ରହିଛନ୍ତି