କନକ ବ୍ୟୁରୋ: ନହେଉ ଭାରତ ପାକିସ୍ତାନ ମ୍ୟାଚ୍ । ସାରା ଦେଶରେ ମ୍ୟାଚ୍କୁ ବିରୋଧ କରି ଜୋରଦାର ପ୍ରତିବାଦ କରାଯାଉଛି । କେଉଁଠି ବିକ୍ଷୋଭ, ପୁଣି କେଉଁଠି ସୁପ୍ରିମକୋର୍ଟରେ ପିଟିସନ । ପହଲଗାମ୍ ଆତଙ୍କବାଦ ଆକ୍ରମଣ ପରେ ପାକିସ୍ତାନ ସହ ନା ଖେଳ ନା ବ୍ୟବସାୟ, କୌଣସି ପ୍ରକାର ସମ୍ପର୍କ ନରଖିବାକୁ ଦେଶବାସୀ ଚାହୁଛନ୍ତି । ଏହା ଭିତରେ ଏସିଆ କପ୍ ମ୍ୟାଚ୍ ନୂଆ ବିବାଦ ଛିଡ଼ା କରିଛି ।
ପାକିସ୍ତାନ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ କେତେ ଆକ୍ରୋଶ ରହିଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ, ଯେଉଁଠି ସରକାର ଶତ୍ରୁ ଦେଶ ସହ କୌଣସି ପ୍ରକାର ସମ୍ପର୍କ ରଖିବାକୁ ଓ ବୁଝାମଣା କରିବାକୁ ନାରାଜ ଥିଲେ, ସେଠି କିଭଳି ମ୍ୟାଚ୍ ଆୟୋଜନ କରାଯାଉଛି ବୋଲି ପ୍ରଶ୍ନ ଉଠିଛି । ରବିବାର ଦୁବାଇରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଦେଖାଗଲାଣି ଜୋରଦାର ବିରୋଧ ।
ପହଲଗାମ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ମଧ୍ୟ ବିସିଆଇର ନିଷ୍ପତ୍ତିକୁ ପ୍ରବଳ ବିରୋଧ କରିବା ସହ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି । ଆତଙ୍କୀ ଦେଶ ସହ କ୍ରିକେଟ ଖେଳି, ମୃତକଙ୍କ ପରିଜନଙ୍କ ଭାବନା ସହ ଖେଳାଯାଉଥିବା କହିଛନ୍ତି ।
ଭାରତ ପାକିସ୍ତାନ ମ୍ୟାଚକୁ ନେଇ ସବୁଠି ବିରୋଧ । ବଲିଉଡ ସେଲିବ୍ରେଟିଠୁ ନେଇ ବିରୋଧୀ ରାଜନେତା ମ୍ୟାଚ ବର୍ଜନ ପାଇଁ ଦାବି କରୁଛନ୍ତି । ଯଦି ମ୍ୟାଚ୍ ହୁଏ ତେବେ ଏହାର ପ୍ରସାରଣ ଭାରତରେ ନକରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅପିଲ କରିଛି ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ ।