କନକ ବ୍ୟୁରୋ:  ରାମ ନବମୀ ପାଇଁ ପୋଲିସ ଛାଉଣୀ ପାଲଟିଛି ସମ୍ୱଲପୁର ସହର । ସିସିଟିଭି ଓ ଡ୍ରୋନ ସର୍ଭିଲାନ୍ସରେ ରହିଛି ସହରର ସମ୍ୱେଦନଶୀଳ ଅଞ୍ଚଳ । ଡଗ ସ୍କ୍ୱାଡ୍, ବମ ସ୍କ୍ୱାଡ୍ ଜରିଆରେ କଡ଼ାକଡ଼ି ଯାଞ୍ଚ ଚାଲିଛି । ସାମ୍ପ୍ରଦାୟିକ ଉତ୍ତେଜନା ପ୍ରବଣ ଅଞ୍ଚଳର ଘରେ, ଛାତ ଉପରେ, ଦୋକାନରେ ଛାନଭିନ ଚାଲିଛି । ଖାସ କରି ମୋତିଝରଣ ଅଞ୍ଚଳ, ଧନକଉଡା ମାର୍ଗରେ ପୋଲିସ ଘର, ଛାତ ଉପର,ଦୋକାନ ଘର ଛାନଭିନ କରିଛି । ଶୋଭାଯାତ୍ରା ଓ ବାଇକ ରାଲି ଯିବାକୁ ଥିବା ଅଞ୍ଚଳ ପୁରା ପୋଲିସ ସର୍ଭେଲାନ୍ସରେ ରହିଛି । ସହରର ପ୍ରତି ଛକରେ ଷ୍ଟାଣ୍ଡ ପୋଷ୍ଟ କରାଯିବା ସହ ବିଏସଏଫ, ରାପିଡ ଆକ୍ସନ ଫୋର୍ସ, ଓଡିଶା ପୋଲିସ ମୁତୟନ ହୋଇଛନ୍ତି । ୨୦୨୩ ପରି ସ୍ଥିତି ନଉପୁଜିବା  ପାଇଁ ପୋଲିସ ସବୁ ପ୍ରକାର କସରତ କରୁଛି । ଅତିରିକ୍ତ ଏସପି, ଏସଡିପିଓ, ୧୦ରୁ ଅଧିକ ଥାନା ଅଧିକାରୀ ଘନ ଘନ ପଇଁତରା ମାରୁଥିବାବେଳେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Advertisment

ରାମନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର । ଭଦ୍ରକର ରାମନବମୀ ପାଳନ ବହୁ ପୁରୁଣା ଓ ବେଶ୍ ପ୍ରସିଦ୍ଧ । ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକ ସହରରେ ବାଲେଶ୍ବର ଡ଼ିଆଇଜି ସତ୍ୟଜିତ ନାୟକଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହାସହ ସହରରେ ପୋଲିସ୍ ଜୋରଦାର ପାଟ୍ରୋଲିଂ କରୁଛି । ପୋଲିସ୍ ଫ୍ଲାଗମାର୍ଚ୍ଚରେ ବିଏସଏଫ ଓ ରାପିଡ଼ ଆକ୍ସନ ଫୋର୍ସର ଯବାନ ସାମିଲ ହୋଇଥିଲେ । ସେହିପରି ଡ଼ିଆଇଜିଙ୍କ ସହିତ ଭଦ୍ରକ ଜ଼ିଲ୍ଲାପାଳ, ଭଦ୍ରକ ଏସପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇଥିଲେ । ରାମନବମୀ ପାଇଁ ସହରରେ ୨୬ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀଙ୍କ ସହ ବିଏସଏଫ୍‌, ସିଆରପିଏଫ ଓ ରାପିଡ଼ ଆକ୍ସନ ଯବାନ ମୁତୟନ ହୋଇଥିବା ଡ଼ିଆଇଜି କହିଛନ୍ତି । ସହର ସମ୍ବେଦନଶୀଳ ଅଞ୍ଚଳରେ ତୀକ୍ଷ୍ଣ ନଜର ରଖାଯାଉଛି। ଏଥିପାଇଁ ଡ୍ରୋନର ସହାୟତା ନିଆଯାଉଛି । ରାମନବମୀ ପାଳନ ବେଳେ କୌଣସି ପ୍ରକାର ଅଘଟଣକୁ ଏଡ଼ାବାକୁ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଥିବା ବେଳେ ଭିଡିଓ ଗ୍ରାଫିକୁ ଗୁରୁତ୍ୱ ଦିଆଯାଇଛି । 

ବାଲେଶ୍ଵରରେ ମଧ୍ୟ ରାମ ନବମୀ ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲେଶ୍ୱର ସହରରେ ଲଗାତାର ଫ୍ଲାଗମାର୍ଚ୍ଚ କରାଯାଉଛି । ସୋରରେ ସୁରକ୍ଷା କଡ଼ାକଡ଼ି କରିବା ସହ ପୋଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଛନ୍ତି । ଅନ୍ୟପଟେ ଭଦ୍ରକ ପାଲଟିଛି ପୋଲିସ ଛାଉଣୀ । ସହରରେ ରାପିଡ଼ ଆକ୍ଲନ ଫୋର୍ସ, ବିଏସଏଫ ଯବାନ ମୁତୟନ ହୋଇଛନ୍ତି । ସାମ୍ପ୍ରଦାୟିକ ଉତ୍ତେଜନା ଦୃଷ୍ଟିରୁ ସମ୍ୱେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ, ପାଟ୍ରୋଲିଂ କଡ଼ାକଡ଼ି କରି ତୀକ୍ଷଣ ନଜର ରଖିଛି ପୋଲିସ ପ୍ରଶାସନ । 

ସେହିପରି କଟକରେ ମଧ୍ୟ ରାମନବମୀ ପାଇଁ କଟକ ସହରରେ ୨୫ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଯେଉଁ ସବୁ ଜାଗାରେ ଶୋଭାଯାତ୍ରା ହେଵ, ସେ ସବୁ ଜିଗାକୁ ଯାଇ କଟକ କମିଶନରେଟ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ । କୌଣସି ବିଶୃଙ୍ଖଳାକୁ ଏଡ଼ାଇବାକୁ ପୁରା ଧ୍ୟାନ ଦିଆଯାଉଥିବା କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।