କନକ ବ୍ୟୁରୋ: ତେଲେଙ୍ଗାନା ରାଷ୍ଟ୍ର ସମିତି (BRS)ରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଏକ ନୂତନ ମୋଡ଼ ନେଇଛି । ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (KCR) ତାଙ୍କ ଝିଅ ଏବଂ ବିଧାନସଭା ପରିଷଦ ସଦସ୍ୟ କେ. କବିତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । କାଲେଶ୍ୱରମ ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ (KLIP)ରେ ଅନିୟମିତତା ପାଇଁ କବିତା ତାଙ୍କ କାକାଙ୍କ ପୁଅ ଟି. ହରିସ ରାଓ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଜେ. ସନ୍ତୋଷ କୁମାରଙ୍କ ବିରୋଧରେ ସିଧାସଳଖ ଅଭିଯୋଗ କରିବା ପରେ ସୋମବାର ଏହି ନିଷ୍ପତ୍ତି ନିଆଯାଇଛି । କବିତାଙ୍କ ବୟାନ ପରିବାର ଭିତରେ ଥିବା ଫାଟକୁ ପ୍ରକାଶ କରିଛି, ଯାହା BRSର ଭାବମୂର୍ତ୍ତିକୁ ଆହୁରି କ୍ଷତି ପହଞ୍ଚାଇପାରେ ।
କବିତାଙ୍କ ଅଭିଯୋଗଗୁଡ଼ିକ ବିଆରଏସ ଶାସନ କାଳରେ ହରିଶ ରାଓଙ୍କ ଜଳସେଚନ ମନ୍ତ୍ରୀ କାର୍ଯ୍ୟକାଳ (୨୦୧୪-୨୦୨୩) ସହିତ ଜଡିତ । ସେ କହିଛନ୍ତି ଯେ କେସିଆରଙ୍କ ଉପରେ କାହିଁକି ଦୁର୍ନୀତିର ଅଭିଯୋଗ ଲଗାଯାଇଥିଲା? କିଛି ନିକଟତର ଲୋକ ତାଙ୍କ ନାଁର ସୁଯୋଗ ନେଇ ସମ୍ପତ୍ତି ଅର୍ଜନ କରିଥିଲେ । ହରିଶ ରାଓ ପାଞ୍ଚ ବର୍ଷ ପାଇଁ ଜଳସେଚନ ମନ୍ତ୍ରୀ ଥିଲେ । ଏଥିରେ ତାଙ୍କର ବଡ଼ ଭୂମିକା ଥିଲା ।
କବିତା ଦାବି କରିଥିଲେ ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ହରିଶ ରାଓ ଏବଂ ସନ୍ତୋଷ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି, ଯେଉଁମାନେ କେସିଆରଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ହାତ ମିଳାଇଛନ୍ତି । ସେ କହିଛନ୍ତି ଯେ ଜଣେ ଝିଅ ଭାବରେ, ମୁଁ ଦୁଃଖିତ ଯେ ମୋ ବାପାଙ୍କୁ ଏହାର ସମ୍ମୁଖୀନ ହେବାକୁ ପଡୁଛି । ସିବିଆଇ ତଦନ୍ତରେ, କେସିଆର ସ୍ୱଚ୍ଛ ଭାବେ ନିର୍ଦ୍ଦୋଷ ପ୍ରମାଣିତ ହେବେ।