ବାଂଲାଦେଶୀଙ୍କୁ ବିଦା କରିବାକୁ ବିଭିନ୍ନ ଜିଲ୍ଲାରେ ଘନ ଘନ ରେଡ୍; ଜଗତସିଂହପୁରରେ ମାରଣାସ୍ତ୍ର ଜବତ ପରେ ପୁଲିସର ଛାନଭିନ

ଜଗତସିଂହପୁର ଜିଲ୍ଲା ବେହେରାମପୁରରେ ବାଂଲାଦେଶୀଙ୍କ ଆଡ୍ଡାରୁ ମାରଣାସ୍ତ୍ର ଜବତ ପରେ ବାଂଲାଦେଶୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ । ବାଲିକୁଦା ଥାନା ଅଞ୍ଚଳ, ପାରାଦୀପ, ଏରସମା, କୁଜଙ୍ଗ, ବିରିଡ଼ି ଏବଂ ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ ଛାପା ମାରି ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରିଛି ପୁଲିସ ।

Illegal Bangladeshi Residents

Illegal Bangladeshi Residents Photograph: (Kanak News)

କନକ ବ୍ୟୁରୋ : ଓଡ଼ିଶାରୁ ବାଂଲାଦେଶୀଙ୍କୁ ବିଦା କରିବାକୁ ଚାଲିଛି ଘନ ଘନ ଚଢାଉ । ଜଗତସିଂହପୁରରୁ ଆରମ୍ଭ ହୋଇଥିବା ତନାଘନା ଏବେ କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକରେ ଜୋରଦାର ହୋଇଛି । ବେଆଇନ ଭାବେ ଓଡ଼ିଶାରେ ଆସି ରହୁଥିବା ଲୋକଙ୍କ ପରିଚୟ ପତ୍ର ଯାଞ୍ଚ ଚାଲିଛି ।

ଜଗତସିଂହପୁର ଜିଲ୍ଲା ବେହେରାମପୁରରେ ବାଂଲାଦେଶୀଙ୍କ ଆଡ୍ଡାରୁ ମାରଣାସ୍ତ୍ର ଜବତ ପରେ ବାଂଲାଦେଶୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ । ବାଲିକୁଦା ଥାନା ଅଞ୍ଚଳ, ପାରାଦୀପ, ଏରସମା, କୁଜଙ୍ଗ, ବିରିଡ଼ି ଏବଂ ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ ଛାପା ମାରି ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରିଛି ପୁଲିସ । ସାତପୁରା ବସ୍ତିରୁ ସ୍ଥାନାନ୍ତର ହୋଇଥିବା ୨୫ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଆଧାର, ଭୋଟର କାର୍ଡ, ରାସନ କାର୍ଡ ଓ ଘରବାଡ଼ି ପଟ୍ଟାକୁ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ତନଖି କରିଛନ୍ତି ପୁଲିସ । ସେପଟେ ଜଗତସିଂହପୁରରେ ବାଂଲାଦେଶୀଙ୍କୁ ଆଶ୍ରୟ ଦେଇଥିବା ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲମକୁ ଖୋଜିବା ପାଇଁ ଗଠନ ହୋଇଛି ୨ଟି ସ୍ପେଶାଲ ଟିମ୍ । ସିକନ୍ଦର ପଶ୍ଚିମବଙ୍ଗ ଖସି ପଳାଇଥିବା ସନ୍ଦେହ କରାଯାଉଛି ।

କେନ୍ଦ୍ରାପଡ଼ାରେ ବି ଚାଲିଛି ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା । ବାହାର ରାଜ୍ୟରୁ ଶହ ଶହ ସଂଖ୍ୟାରେ ଆସିଥିବା ଲୋକଙ୍କ ପରିଚୟପତ୍ର କେନ୍ଦ୍ରାପଡ଼ା ଟାଉନ ଥାନାରେ ଯାଞ୍ଚ କରାଯାଇଛି । ୧୬ ଜଣଙ୍କୁ ଅଟକ ରଖିଛି ପୁଲିସ । ଭଦ୍ରକ ଜିଲ୍ଲାର ତିନୋଟି ଥାନା, ବିଶେଷ କରି ସହରକୁ ଲାଗି ରହିଥିବା ଟାଉନ୍ ଥାନା, ପୁରୁଣାବଜାର ଥାନା ଓ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ରହୁଥିବା ବାଂଲାଦେଶୀଙ୍କ କାର୍ଯ୍ୟକଳାପକୁ ନେଇ ଉପୁଜିଛି ସନ୍ଦେହ । ୧୭ ଜଣଙ୍କୁ ପୋଲିସ ଉଠାଇ ନେଇ ସେମାନଙ୍କ ଆଧାର କାର୍ଡ ଯାଞ୍ଚ ହୋଇଛି ।

ସେହିପରି ଯାଜପୁର ଟାଉନ ପୁଲିସ ପକ୍ଷରୁ ସହର ର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଅନୁପ୍ରବେଶକାରୀ ଭାବେ ବାଂଲାଦେଶୀ ରହିଥିବା ସ୍ଥାନରେ ଚଢ଼ାଉ କରାଯାଇ ସମସ୍ତଙ୍କୁ ଥାନାକୁ ଆଣି ସ୍ୱତନ୍ତ୍ର ଟିମ ସହାୟତାରେ ଆଧାର କାର୍ଡ, ଭୋଟର କାର୍ଡ ଯାଞ୍ଚ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷ ବର୍ଷ ଧରି ବେଆଇନ୍ ଭାବେ ରହୁଛନ୍ତି ବାଂଲାଦେଶୀ । ସେମାନଙ୍କୁ ଚିହ୍ନଟ କରି ବିଦା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe