କନକ ବ୍ୟୁରୋ : ଓଡ଼ିଶାରୁ ବାଂଲାଦେଶୀଙ୍କୁ ବିଦା କରିବାକୁ ଚାଲିଛି ଘନ ଘନ ଚଢାଉ । ଜଗତସିଂହପୁରରୁ ଆରମ୍ଭ ହୋଇଥିବା ତନାଘନା ଏବେ କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକରେ ଜୋରଦାର ହୋଇଛି । ବେଆଇନ ଭାବେ ଓଡ଼ିଶାରେ ଆସି ରହୁଥିବା ଲୋକଙ୍କ ପରିଚୟ ପତ୍ର ଯାଞ୍ଚ ଚାଲିଛି ।
ଜଗତସିଂହପୁର ଜିଲ୍ଲା ବେହେରାମପୁରରେ ବାଂଲାଦେଶୀଙ୍କ ଆଡ୍ଡାରୁ ମାରଣାସ୍ତ୍ର ଜବତ ପରେ ବାଂଲାଦେଶୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ । ବାଲିକୁଦା ଥାନା ଅଞ୍ଚଳ, ପାରାଦୀପ, ଏରସମା, କୁଜଙ୍ଗ, ବିରିଡ଼ି ଏବଂ ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ ଛାପା ମାରି ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରିଛି ପୁଲିସ । ସାତପୁରା ବସ୍ତିରୁ ସ୍ଥାନାନ୍ତର ହୋଇଥିବା ୨୫ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଆଧାର, ଭୋଟର କାର୍ଡ, ରାସନ କାର୍ଡ ଓ ଘରବାଡ଼ି ପଟ୍ଟାକୁ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ତନଖି କରିଛନ୍ତି ପୁଲିସ । ସେପଟେ ଜଗତସିଂହପୁରରେ ବାଂଲାଦେଶୀଙ୍କୁ ଆଶ୍ରୟ ଦେଇଥିବା ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲମକୁ ଖୋଜିବା ପାଇଁ ଗଠନ ହୋଇଛି ୨ଟି ସ୍ପେଶାଲ ଟିମ୍ । ସିକନ୍ଦର ପଶ୍ଚିମବଙ୍ଗ ଖସି ପଳାଇଥିବା ସନ୍ଦେହ କରାଯାଉଛି ।
କେନ୍ଦ୍ରାପଡ଼ାରେ ବି ଚାଲିଛି ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା । ବାହାର ରାଜ୍ୟରୁ ଶହ ଶହ ସଂଖ୍ୟାରେ ଆସିଥିବା ଲୋକଙ୍କ ପରିଚୟପତ୍ର କେନ୍ଦ୍ରାପଡ଼ା ଟାଉନ ଥାନାରେ ଯାଞ୍ଚ କରାଯାଇଛି । ୧୬ ଜଣଙ୍କୁ ଅଟକ ରଖିଛି ପୁଲିସ । ଭଦ୍ରକ ଜିଲ୍ଲାର ତିନୋଟି ଥାନା, ବିଶେଷ କରି ସହରକୁ ଲାଗି ରହିଥିବା ଟାଉନ୍ ଥାନା, ପୁରୁଣାବଜାର ଥାନା ଓ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ରହୁଥିବା ବାଂଲାଦେଶୀଙ୍କ କାର୍ଯ୍ୟକଳାପକୁ ନେଇ ଉପୁଜିଛି ସନ୍ଦେହ । ୧୭ ଜଣଙ୍କୁ ପୋଲିସ ଉଠାଇ ନେଇ ସେମାନଙ୍କ ଆଧାର କାର୍ଡ ଯାଞ୍ଚ ହୋଇଛି ।
ସେହିପରି ଯାଜପୁର ଟାଉନ ପୁଲିସ ପକ୍ଷରୁ ସହର ର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଅନୁପ୍ରବେଶକାରୀ ଭାବେ ବାଂଲାଦେଶୀ ରହିଥିବା ସ୍ଥାନରେ ଚଢ଼ାଉ କରାଯାଇ ସମସ୍ତଙ୍କୁ ଥାନାକୁ ଆଣି ସ୍ୱତନ୍ତ୍ର ଟିମ ସହାୟତାରେ ଆଧାର କାର୍ଡ, ଭୋଟର କାର୍ଡ ଯାଞ୍ଚ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷ ବର୍ଷ ଧରି ବେଆଇନ୍ ଭାବେ ରହୁଛନ୍ତି ବାଂଲାଦେଶୀ । ସେମାନଙ୍କୁ ଚିହ୍ନଟ କରି ବିଦା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/19/illegal-bangladeshi-residents-2025-11-19-22-59-55.jpg)