କନକ ବ୍ୟୁରୋ : ରାସ୍ତା କଡ଼ରେ ମୋବାଇଲ୍ କଭର ବିକ୍ରି କରୁଥିବା ପିଲାଟି ଆଗକୁ ଡାକ୍ତର ହୋଇ ରୋଗୀ ସେବା କରିବ । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି ? ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । କଥାରେ ଅଛି ଯେଉଁଠି ମନୋବଳ ଦୃଢ଼ ଥାଏ , ସେଠାରେ ପରିସ୍ଥିତି ଯେତେ ବି ଖରାପ ଥାଉନା କାହିଁକି ସଫଳତା ନିଶ୍ଚୟ ମିଳିବ । ଏହି କଥାର ସତ୍ୟା ସତ ପ୍ରମାଣ କରି ଦେଖାଇଛନ୍ତି ରୋହିତ କୁମାର । ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ୱାରା ସେ ପ୍ରମାଣ କରିଛନ୍ତି ଯେ ଜୀବନରେ ଅନେକ ସମସ୍ୟା ଥିଲେ ମଧ୍ୟ, ଯଦି କିଛି କରିବାର ଇଚ୍ଛା ଏବଂ ସ୍ୱପ୍ନ ପୂରଣ କରିବାର ଜିଜ୍ଞାସା ଅଛି , ତେବେ ନିଶ୍ଚିତ ଭାବରେ ସଫଳତା ମିଳିବ ।
ଝାଡ଼ଖଣ୍ଡର ଜାମସେଦପୁରର ଏକ ସାଧାରଣ ପରିବାରରେ ଜନ୍ମ ନେଇଛନ୍ତି ରୋହିତ କୁମାର । ପିଲାଟିବେଳୁ ମେଧାବୀ ଛାତ୍ର , ସ୍ୱପ୍ନ ଥିଲା ବଡ଼ ହେଲେ ଡାକ୍ତର ହେବେ । ପାଠ ପଢା ସହ ସେ ଦାରିଦ୍ରକୁ ମଧ୍ୟ ସାମ୍ନା କରୁଥିଲେ । ସେଥିପାଇଁ ପାଠ ପଢ଼ା ସହ ସେ ମୋବାଇଲ୍ କଭର ବିକ୍ରି କରିବା ଆରମ୍ଭ କଲେ । ସେଥିରୁ ଯାହା ରୋଜଗାର ହେଉଥିଲା ତାହାକୁ ସେ ପାଠ ପଢ଼ାରେ ଲଗାଉଥିଲେ ।
ତୃତୀୟ ପ୍ରୟାସରେ ମିଳିଲା ସଫଳତା
ରୋହିତ NEET UG ପରୀକ୍ଷା ୨୦୨୫ ରେ ୭୨୦ ରୁ ୫୪୯ ନମ୍ବର ରଖି ସଫଳତା ହାସଲ କରିଛନ୍ତି । ଯଦିଓ, ସେ ପୂର୍ବରୁ ଦୁଇଥର NEET ପରୀକ୍ଷା ଦେଇଥିଲେ , କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା । ତଥାପି ସେ ହାର୍ ମାନିନଥିଲେ , ତୃତୀୟ ପ୍ରୟାସରେ ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇତିହାସ ରଚିଛନ୍ତି । ତାଙ୍କର ସଫଳତା ଆମ ସମସ୍ତଙ୍କୁ ଶିଖାଏ ଯେ ଆପଣ ଯେତେଥର ବିଫଳ ହୁଅନ୍ତି, ଆପଣଙ୍କୁ କେବେବି ହାର ମାନିବାକୁ ପଡିବ ନାହିଁ ବରଂ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ ।
ଚଳିତ ବର୍ଷ NEET ପରୀକ୍ଷାରେ ରୋହିତ ସର୍ବଭାରତୀୟ ସ୍ତରରେ ୧୨,୪୮୪ତମ ଏବଂ ୧,୩୧୨ତମ କ୍ୟାଟାଗୋରୀ ରାଙ୍କ ହାସଲ କରିଛନ୍ତି । ତାଙ୍କର ସଫଳତା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ଏହା ସହିତ ତାଙ୍କର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେବଳ ଏତିକି ନୁହେଁ ରୋହିତଙ୍କ ସଫଳତାରେ ଦେଶର ପ୍ରସିଦ୍ଧ ଅନଲାଇନ୍ ଶିକ୍ଷାବିତ୍ ଏବଂ ଫିଜିକ୍ସ ୱାଲାର ପ୍ରତିଷ୍ଠାତା, ଅଲଖ ପାଣ୍ଡେ ନିଜେ ତାଙ୍କୁ ଭେଟିବାକୁ ଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ରୋହିତ କୁହନ୍ତି ଯେ ସେ ଏତେ ଟପ୍ ରାଙ୍କ୍ ପାଇବେ ବୋଲି ଭାବି ନଥିଲେ । ଏହି ରାଙ୍କ୍ ପାଇ ସେ ବହୁତ ଖୁସି ଅଛନ୍ତି । ରୋହିତ ପ୍ରତିଦିନ ସକାଳୁ ଉଠି ପ୍ରଥମେ ପାଠ ପଢ଼ନ୍ତି । ଏହା ପରେ ସେ ସକାଳ ୮ଟାରେ ଦୋକାନ ଖୋଲି ଦିନ ୧୨ଟା ପର୍ଯ୍ୟନ୍ତ ବେପାର କରନ୍ତି । ଏହା ପରେ ସେ ରାତି ୧୨-୧ ପର୍ଯ୍ୟନ୍ତ ଜାଗ୍ରତ ରହି NEET ପାଇଁ ପ୍ରସ୍ତୁତି କରୁଥିଲେ । ନିଟ୍ ପରୀକ୍ଷାରେ ପାସ୍ କରି ରୋହିତ ପ୍ରମାଣ କରିଛନ୍ତି ଯେ ସ୍ୱପ୍ନ ଯେତେ ବଡ଼ ହେଉନା କାହିଁକି , କଠିନ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ ।