କନକ ବ୍ୟୁରୋ : ଦିନକୁ ଦିନ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଲୋକଙ୍କୁ କାମୁଡ଼ିବା ସହ ଭୟଭୀତ କରାଇ ଆତଙ୍କରାଜ ଚଳାଇଛନ୍ତି ବୁଲାକୁକୁର । ଯଦି ଗଞ୍ଜାମ ଜିଲ୍ଲା କଥା କହିବା ତେବେ କୁକୁର କାମୁଡ଼ା ସଂଖ୍ୟା ଆପଣଙ୍କୁ ଚକିତ କରିଦେବ ।
ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ବଢ଼ୁଛି ବୁଲା କୁକୁରଙ୍କ ସଂଖ୍ୟା । କୁକୁର କାମୁଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ସରକାରୀ ତଥ୍ୟ ଅନୁସାରେ,
ଜିଲ୍ଲାରେ ୪ ବର୍ଷରେ ୫୪ ହଜାର ୫୬୭ ଜଣ ହୋଇଛନ୍ତି କୁକୁର କାମୁଡ଼ାରେ ଶିକାର । ୨୦୨୨ରେ ୮ ହଜାର ୬୧୮, ୨୦୨୩ରେ ୧୦ ହଜାର ୨୩୧, ୨୦୨୪ରେ ୨୦ ହଜାର ୬୬୪, ୨୦୨୫ ଅଗଷ୍ଟ ସୁଦ୍ଧା ୧୫,୦୫୪ ଜଣ କୁକୁର କାମୁଡ଼ାର ଶିକାର ହୋଇଛନ୍ତି ।
ରଙ୍ଗେଇଲୁଣ୍ଡାରେ ସର୍ବାଧିକ ୭ ହଜାର ୪୩୦, ଦ୍ୱିତୀୟରେ ଛତ୍ରପୁର ବ୍ଲକ ୫ ହଜାର ୫୨୬ ଜଣ, ତୃତୀୟରେ ଖଲ୍ଲିକୋଟର ୫ ହଜାର ୩୯, କୁକୁଡ଼ାଖଣ୍ଡିରେ ସର୍ବନିମ୍ନ ୨୬୦ ଜଣଙ୍କୁ କାମୁଡ଼ିଛି କୁକୁର । ଯାହା ଜିଲ୍ଲାର କୁକୁର ବନ୍ଧ୍ୟାକରଣ ଯୋଜନା କାର୍ଯ୍ୟକାରିତାକୁ ପଦାରେ ପକାଇଛି ।
କୁକୁର କାମୁଡ଼ିବା ଦ୍ଵାରା ଜଳାତଙ୍କ ଭଳି ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବାକୁ ପଡ଼ିଥାଏ । ଏହି ରୋଗରେ ସଂକ୍ରମିତ ହୋଇଥିବା ରୋଗୀ ଉପଯୁକ୍ତ ଚିକିତ୍ସା ନପାଇଲେ ସ୍ଥିତି ସାଙ୍ଘାତିକ ହୋଇପାରେ । କୁକୁର କାମୁଡ଼ିଲେ ତୁରନ୍ତ ଚିକିତ୍ସା କରାଇବା ଆବଶ୍ୟକ ।
କୁକୁର କାମୁଡ଼ାର ସଂଖ୍ୟା ବୃଦ୍ଧି ଉପରେ ନଜର ପକାଇଲେ ଜିଲ୍ଲାରେ କୁକୁର ବନ୍ଧ୍ୟାକରଣ ଯୋଜନା କେବଳ କାଗଜକଲମରେ ସୀମିତ ଥିବା ଅନୁମେୟ ।