କନକ ବ୍ୟୁରୋ : ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ଏକ ଚାଷୀ ପ୍ରଧାନ ଜିଲ୍ଲା । ଜିଲ୍ଲାର ୬୦ ପ୍ରତିଶତରୁ ଅଧିକ ଲୋକ କେବଳ ଚାଷ ଉପରେ ନିର୍ଭରଶିଳ । ପୂର୍ବରୁ ଓଡ଼ିଶାର ଅନେକ ସ୍ଥାନରେ ଷ୍ଟ୍ରବେରି ଚାଷ ସଫଳ ହୋଇଥିବାରୁ ଜିଲ୍ଲାରେ ନୂଆକରି ଏହି ଚାଷ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ, ବାରିପଦା ଆଇଟିଡିଏ ଅଧିକାରୀ କିଛି ଅଭିଜ୍ଞ କର୍ମଚାରୀଙ୍କ ସହ ପରାମର୍ଶ କରି ଷ୍ଟ୍ରୋବେରୀ ଚାଷ କରିବା ପାଇଁ ଯୋଜନା କରିଥିଲେ । ପରୀକ୍ଷାମୂଳକ ଭାବେ ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି ଚାଷ ଏବେ ସଫଳ ହୋଇଛି । ଜିଲ୍ଲାର ଶାମାଖୁଣ୍ଟା ବ୍ଲକ୍ ଅଧୀନ ଶିମିଳିପାଳ ପାଦ ଦେଶରେ ଥିବା ଲୁଲୁଙ୍ଗ୍ ତାରାଯୋଡ଼ି ଅଞ୍ଚଳରେ ଆଦିବାସୀ ସମୁଦାୟଙ୍କ ପାଇଁ ଏବେ ନୂଆ ସୁଯୋଗ ସୃଷ୍ଟି କରିଛି ଏହି ଷ୍ଟ୍ରବେରୀ ଚାଷ । 

Advertisment

ମହାରାଷ୍ଟ୍ରର ମହାବଳେଶ୍ୱର ଅଞ୍ଚଳରୁ ଦେଢ଼ଲକ୍ଷ ଷ୍ଟ୍ରୋବେରୀ ଚାରା ଆଣି ୧୦ ଏକର ଜମିରେ ରୋପଣ କରାଯାଇଥିଲା । ଏବଂ ଏହି ଯୋଜନାରେ ତାରାଯୋଡ଼ି ଅଞ୍ଚଳର ୨୧ଜଣ ଚାଷୀଙ୍କୁ ସାମିଲ କରାଯାଇଥିଲା । ଜମି ଚିହ୍ନଟ ପରେ ଚାରା ସହ ଚାଷ ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ଯୋଗାଇ ଦେଇଥିଲା ଜିଲ୍ଲା ଉଦ୍ୟାନ କୃଷି ବିଭାଗ । ଗଛ ଲଗାଇବାର ୪୦ ରୁ ୪୫ ଦିନ ପରେ ଏବେ ଫଳ ଫଳିବା ଆରମ୍ଭ ହୋଇଛି । ଯାହା ଆଗାମୀ ଦିନରେ ସ୍ଥାନୀୟ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବ । ଗୋଟିଏ ଗୋଟିଏ ଗଛରୁ ଦେଢ଼କେଜି ଓଜର ଷ୍ଟ୍ରବେରୀ ଉତ୍ପାଦନ ହେବାର କ୍ଷମତା ରହିଛି । ବିକ୍ରି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ମଧ୍ୟରେ ୫ଟି ଷ୍ଟଲ ଖୋଲାଯିବର ବନ୍ଦବସ୍ତ କରାଯାଇଛି । ଅଧିକ ଉତ୍ପାଦନ ହେଲେ ବାରିପଦା, ଭୁବନେଶ୍ୱର, କଟକ,ବାଲେଶ୍ୱର ଓ ପଡୋଶୀ ରାଜ୍ୟ କୋଲକାତାରେ ମଧ୍ୟ ଏହାର ମାର୍କେଟିଂ ବ୍ୟବସ୍ଥା କରାଯିବା ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । 

ଆଗକୁ ଏହି ଷ୍ଟ୍ରବେରି ଶିମିଳିପାଳ ବ୍ରାଣ୍ଡରେ ବିକ୍ରି ହେବାର ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।