କନକ ବ୍ୟୁରୋ : ଯେଉଁଠି ବୈଜ୍ଞାନିକଙ୍କ ଆକଳନ ଫେଲ୍ ମାରୁଛି , ସେଇଠି ମା’ଙ୍କ ଆଦେଶକୁ ଲୋକେ ମାନନ୍ତି । ବର୍ଷ ବର୍ଷର ପରମ୍ପରା ଏଠି କୃଷି ଭିତ୍ତିକ ପର୍ବ । ପାହାଡ଼ ଘେରା ଗାଁ ଜୟପୁରର ଗଡ଼ପଦରରେ ଲୋକେ ମାନନ୍ତି ବିରିପାଣି ଦେବୀଙ୍କୁ । ପାହାଡ଼ ଉପରେ ରହୁଥିବା ମା’ଙ୍କ ଏହି ପରମ୍ପରା ପୂର୍ବ କାଳରୁ । ବର୍ଷକର ଏହି ଦିନକୁ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ । ଗ୍ରାମ ଦେବୀଙ୍କୁ ଲାଠି ମାଧ୍ୟମରେ ବନ୍ଦନା କରି ଗାଁର ପୂଜକ ହାତରେ ଲୁହା କଣ୍ଟା ମାଳ ଧରି ପୂଜା ଅର୍ଚ୍ଚନା କରନ୍ତି । ସାହି ସାହି ବୁଲନ୍ତି ମାନସିକଧାରି , ଭୋଗ ରାଗ ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରିଥାଆନ୍ତି । ଲମ୍ବା ଧାଡ଼ିରେ ଗାଁ ଦାଣ୍ଡରେ ମା’ଙ୍କ ଗାଁ ଭ୍ରମଣ ବେଳେ ଗୁହାରି ପଡ଼ିଥାନ୍ତି । ଏଠି ମା’ଙ୍କ ଉପରେ ଭକ୍ତଙ୍କ ରହିଛି ଦୃଢ ବିଶ୍ବାସ ।
ଗାଁ ପରିକ୍ରମା ସରିବା ପରେ ପାହାଡ଼ ଉପରକୁ ମା’ନିଜ ପୀଠକୁ ଫେରିଥାନ୍ତି । ସମସ୍ତ ଲାଠି ଧରିଙ୍କୁ ସେଠାରେ ହୁଏ ପୂଜାର୍ଚ୍ଚନା । ପାହାଡ଼ ଉପରେ ଥିବା ୩ ଟି ଗାତରେ ପୂଜାର୍ଚ୍ଚନା କରାଯାଏ । ସେହି ଗାତରେ ପୂଜା କରିବା ସମୟରେ ପାଣି ବାହାରେ । ସେହି ପାଣି କହେ ଚଳିତ ବର୍ଷ କିପରି ବର୍ଷା ହେବ । ଚାଷୀଙ୍କ ଫସଲ କିପରି ହେବ । ଯାହାକୁ ବିରିପାଣି ଯାତ୍ରା ବୋଲି କୁହନ୍ତି । ଭିନ୍ନ ଏକ ପରମ୍ପରା ଭିନ୍ନ ଏକ ବିଶ୍ୱାସ । ଦିନେ କି ୨ ଦିନର ନୁହେଁ ବର୍ଷ ବର୍ଷ ଧରି ଚାଲି ଆସୁଛି ଏହି ପରମ୍ପରା ବିରିପାଣି ଯାତ୍ରା ।