କନକ ବ୍ୟୁରୋ: ଛୁଟିରେ ପଳେଇଲେ ୨୨ ଡାକ୍ତର ।  ବିଶେଷଜ୍ଞଙ୍କ ଚିକିତ୍ସା ରୁମ୍ ରେ ଏବେ ଝୁଲୁଛି ତାଲା। ରୋଗୀ ଆସୁଛନ୍ତି ଆଉ ତାଲା ପଡିଥିବା ଦେଖି ଫେରିଯାଉଛନ୍ତି । ରୋଗୀ ଆସୁଛନ୍ତି ଆଉ ଫେରିଯାଉଛନ୍ତି । କାରଣ ହେଉଛି ପିଜି ପରୀକ୍ଷା ପାଇଁ ଛୁଟିରେ ଚାଲିଯାଇଛନ୍ତି ୨୨ ଡକ୍ଟର ।  ପହିଲାରୁ  ୫ ତାରିଖ ଯାଏଁ ultrasound ହୋଇପାରିବ ନାହିଁ ବୋଲି  ବିଶେଷଜ୍ଞଙ୍କ ରୁମ୍ ଆଗରେ ନୋଟିସ ବୋର୍ଡ ଲଗାଇଦିଆଯାଇଛି । ହାତ ଗଣତି କେତେ ବରିଷ୍ଠ ଡାକ୍ତରଙ୍କ ଭରସାରେ ଏବେ ପୁରା ମେଡିକାଲ । ଶିଶୁ ବିଭାଗ ହେଉ କି ଅର୍ଥୋପେଡି ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଅଲଟ୍ରାସାଉଣ୍ଡ ଭଳି ଗୁରୁତ୍ଵ ପୂର୍ଣ୍ଣ ବିଭାଗରେ ଏବେ ତାଲା ପଡିଛି ।

Advertisment

ଜୟପୁର ମୁଖ୍ୟ ଡାକ୍ତରଖାନାକୁ ଆବଶ୍ୟକ ୧୨୬ ଡାକ୍ତର । କିନ୍ତୁ ଅଛନ୍ତି ୪୭ ଡାକ୍ତର । ଆଉ ଏଭଳି ସ୍ଥିତିରେ ୨୨ ଜଣ ଡାକ୍ତର ଛୁଟିରେ ଯିବା ପରେ ମେଡିକାଲେର ଘୋର ଅସୁବିଧା ସୃଷ୍ଟି ହୋଇଛି । ଏଭଳି ସ୍ଥଳେ ମେଡିକାଲ କର୍ତ୍ତୃପକ୍ଷ ମିଡିଆ ସାମ୍ନାରେ  ଅତି  ହାଲକା ଉତ୍ତର ଦେଇଛନ୍ତି । କହିଛନ୍ତି, ଗୋଟିଏ ଦିନରେ ସାରା ଭାରତରେ ଏଭଳି ପରୀକ୍ଷା ହେଉଛି । ତେଣୁ ଏହାକୁ ଏଡାଇଦେଇହେବନାହିଁ । ଏଭଳି ସ୍ଥଳରେ ରୋଗୀ ହଇରାଣ ହେବା ସାର ହୋଇଛି ।

ଜୟପୁର ମୁଖ୍ୟ ଡାକ୍ତରଖାନାକୁ ପ୍ରତିଦିନ କୋରାପୁଟ ଜିଲ୍ଲାର ଶହ ଶହ ରୋଗୀ ଆସିଥାନ୍ତି । ଏଭଳି ସ୍ଥଳେ ଡାକ୍ତର ନଥିବାରୁ  ଭଗବାନ ଭରସାରେ ଆସୁଛନ୍ତି ରୋଗୀ ଓ ଚିକିତ୍ସା ନ ପାଇ ଫେରିଯାଉଛନ୍ତି । ଏହା ଆମ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।