କନକ ବ୍ୟୁରୋ : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସାଗୁନଭାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୧୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ଏଠାରେ ୮ଟି ଶ୍ରେଣୀ ପାଇଁ ଅଛି ମାତ୍ର ୩ଟି ଶ୍ରେଣୀଗୃହ । ତା’ ବି ଆଜବେଷ୍ଟସ୍‌ ଉପରେ ଖପରା ଛପର ଘର । ବର୍ଷା ହେଲେ ପାଣି ଗଳୁଛି । କାହିଁ କେତେ ବର୍ଷ ତଳୁ ନିର୍ମାଣ ହୋଇଥିବା ଏହି କୋଠାକୁ ଏଯାଏଁ ମରାମତି କରାଯାଇନି । କି ନୂଆ ଶ୍ରେଣୀଗୃହ ନିର୍ମାଣ ପାଇଁ ଶିକ୍ଷା ବିଭାଗର ମନେପଡ଼ିନି ।

Advertisment

ଶ୍ରେଣୀଗୃହ ଅଭାବରୁ ଗୋଟିଏ ଘରେ ୩ଟି ଶ୍ରେଣୀର ପିଲା ବସୁଛନ୍ତି । ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ । ଆପଣ ଜାଣି ଆଶ୍ଚର୍ଯ୍ୟ  ହେବେ ପ୍ରତି ଶ୍ରେଣୀ ପାଇଁ ଶିକ୍ଷକ ନାହାନ୍ତି । ୮ଟି ଶ୍ରେଣୀ ପାଇଁ ଅଛନ୍ତି ମାତ୍ର ୫ ଜଣ ଶିକ୍ଷକ । ବିଦ୍ୟାଳୟର ଏଭଳି ଅବ୍ୟବସ୍ଥା ନେଇ ସିନାପାଲି ବିଇଓ କହୁଛନ୍ତି, ବିଦ୍ୟାଳୟରେ ଜମିର ଅଭାବ ରହିଛି । ଏନେଇ ଉଚ୍ଚ ଅଧିକାରୀଙ୍କୁ ଜଣାଯାଇଛି ।

 ଗୋଟିଏ ଘରେ ଏତେ ପିଲା ବସୁଥିବାରୁ ପାଠ ବୁଝିବାରେ ସମସ୍ୟା ସୃଷ୍ଟି ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରୁଛନ୍ତି । ସେଥିରେ ପୁଣି ଶିକ୍ଷକ ଅଭାବ । ଯାହା ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।