କନକ ବ୍ୟୁରୋ: ଏବେ ରାଜ୍ୟ ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚିତ ବିଷୟ ରହିଛି, ଆଇଏଏସ୍ ସୁଜାତା ପାଣ୍ଡିଆନଙ୍କ ଅବସର କଥା । ଏକଦା ଷ୍ଟେଟ୍ ପଲିଟିକ୍ସରେ ଜଣେ ପ୍ରଭାବଶାଳୀ ପ୍ରଶାସକ ଥିବା ଏହି ଆଇଏଏସ୍ ଜଣକ, ଏବେ ଭିଆରଏସ୍ ନେବା ସହିତ, ଆଇଏଏସ୍ ଚାକିରିକୁ ଅଲବିଦା କହିଛନ୍ତି । ହେଲେ ଆପଣ ଜାଣିଛନ୍ତି କି, କେନ୍ଦ୍ରାପଡାରୁ ଜିଲ୍ଲାରୁ ବାହାରି, ଏ ଓଡ଼ିଆ ଝିଅ ଜଣକ କେମିତି ଆଇଏଏସ୍ ହେଲେ? ଆଉ ନିଜ ଚାକିରି କାଳ ଭିତରେ, କେମିତି ଏତେ ପରିଚିତ ହେଲେ?
ସମସ୍ତେ ଜାଣିଛନ୍ତି, ସୁଜାତା ପାଣ୍ଡିଆନ୍ ହେଉଛନ୍ତି ପ୍ରଶାସକକୁ ନେତା ସାଜିଥିବା ଭିକେ ପାଣ୍ଡିଆନଙ୍କ ସ୍ତ୍ରୀ । ଯିଏକି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ରହିବା ସହିତ, ପରେ ପରେ ବିଜେଡିରେ ଯୋଗ ଦେଇଥିଲେ । ହେଲେ ଏବେ କିନ୍ତୁ, ସେ ରାଜନୀତିରୁ ସନ୍ନ୍ୟାସ ନେଇସାରିଛନ୍ତି । ଆଉ ତାଙ୍କ ପରେ ତାଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ମଧ୍ୟ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ତେବେ ଜାଣିରଖିବା ଉଚିତ୍ ଯେ, ୨ ହଜାର ବ୍ୟାଚର ଏ ଲେଡି ଆଇଏଏସ୍ ଅଫିସର ହେଉଛନ୍ତି, ଓଡ଼ିଶା କ୍ୟାଡର ଆଇଏଏସ୍ ।
ସୁଜାତା ପାଣ୍ଡିଆନଙ୍କ ଜନ୍ମ ହେଇଥିଲା ୧୯୭୫ ମସିହା ମେ ୯ ତାରିଖରେ ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାରେ । ଦିଲ୍ଲୀ ୟୁନିଭର୍ସିଟିର ଲେଡି ଶ୍ରୀରାମ କଲେଜରୁ ପଲିଟିକାଲ ସାଇନ୍ସରେ ଗ୍ରାଜୁଏସନ୍ ପାସ୍ କରିବା ପରେ ଜେଏନୟୁରେ ସେ ଇଣ୍ଟରନ୍ୟାସନାଲ ପଲିଟିକ୍ସରେ କରିଥିଲେ ପୋଷ୍ଟ ଗ୍ରାଜୁଏସନ୍ । ଆଉ ୨୦୦୦ ମସିହାରେ ଆଇଏଏସ୍ ଚାକିରି ପାଇବା ପରେ ସୁଜାତା ନବରଙ୍ଗପୁର ଜିଲ୍ଲାର ସବକଲେକ୍ଟର ଭାବେ ନିଯୁକ୍ତ ପାଇଥିଲେ । ପରେ ପରେ ସେ ବନିଥିଲେ ମାଓ ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳ ।
ସୁନ୍ଦରଗଡ଼ ଭଳି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ହେବା ପରେ ସେ ଅନେକ ଜନକଲ୍ୟାଣକାରୀ ଯୋଜନାର ଆରମ୍ଭ କରିଥିଲେ । କୁହାଯାଏ ୨୦୦୬ ମସିହାରେ ମିସେସ୍ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କୁ ମିଳୁଥିବା ମଧ୍ୟାହ୍ନ ଭୋଜନରେ ଅଣ୍ଡାକୁ ସାମିଲ କରିଥିଲେ । ଯାହାକି ପରେ ପରେ, ପୂରା ରାଜ୍ୟରେ ଲାଗୁ ହେଇଥିଲା । ସେହିପରି ସୁନ୍ଦରଗଡ଼ ଭଳି ଜିଲ୍ଲାରେ ପିଲାମାନେ ସ୍କୁଲ ଯିବା ଆସିବା କରିବା ପାଇଁ ଅସୁବିଧା ହେଉଥିବା ଦେଖି ପିଲାଙ୍କୁ ସାଇକେଲ୍ ବାଣ୍ଟିବା ଭଳି ଯୋଜନା ଆରମ୍ଭ କରିଥିଲେ ସେତେବେଳର କଲେକ୍ଟର ସୁଜାତା ପାଣ୍ଡିଆନ୍, ଯାହା ପରେ ପରେ ସାରା ଓଡ଼ିଶାରେ ଲାଗୁ ହେବା ସହିତ ପିଲାମାନେ ସରକାରଙ୍କ ତରଫରୁ ପାଇଥିଲେ ମାଗଣା ସାଇକେଲ । ଆଉ ଏହା ପଛରେ ଥିଲା ସୁଜାତା ପାଣ୍ଡିଆନଙ୍କ ବଡ଼ ହାତ ।
ଖାଲି ଏ ଗୋଟିଏ କି ଦୁଇଟି ନୁହେଁ, ସୁନ୍ଦରଗଡ଼ରେ ଫୁଟବଲ ବାଣ୍ଟିବା ସହ ନକ୍ସଲ ଦୂର କରିବାକୁ ଅନେକ କାମ ହାତକୁ ନେଇଥିଲେ ସୁଜାତା । ପରେ ପରେ ସେ ବିଭିନ୍ନ ଦାୟିତ୍ୱରେ ରହିବା ସହିତ ବନିଥିଲେ ମିଶନ ଶକ୍ତି ଭଳି ବିଭାଗର ସଚିବ । ଯାହା ତାଙ୍କୁ ଲୋକଙ୍କ ଭିତରେ ଅଧିକ ପରିଚିତ କରିଥିଲା । ତେବେ ବର୍ତ୍ତମାନ ସମୟର ଚକ୍ର ସହ ସ୍ୱାମୀ ଭିକେ ପାଣ୍ଡିଆନଙ୍କ ପରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇସାରିଛନ୍ତି ମିସେସ୍ ପାଣ୍ଡିଆନ୍ । ତେଣୁ ଦେଖିବାକୁ ବାକି ରହିଲା ଏବେ ମିସେସ୍ ପାଣ୍ଡିଆନଙ୍କ ଗତି କୁଆଡେ? ରାଜନୀତି କରିବେ? ନା ଆଉ କିଛି…