କନକ ବ୍ୟୁରୋ : ଏଏସଓ ନିଯୁକ୍ତିରେ ବ୍ୟାପକ ହେରଫେର ହୋଇଥିବା ମୁଖ୍ୟମନ୍ତ୍ରୀ ନିଜେ ଗୃହରେ କହିବା ପରେ ଚିହିଁକି ଉଠିଛି ବିଜେଡି । ପ୍ରଶ୍ନକାଳରେ ବିଜେଡି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ । ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତି କଥା ଉଠାଇ ରୁଲିଂ ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ମୁଖ୍ୟମନ୍ତ୍ରୀଙ୍କ ବିବୃତି ଲକ୍ଷ ଲକ୍ଷ ଯୋଗ୍ୟ ପିଲାଙ୍କୁ ଅପମାନ ଦେଇଛି ବୋଲି ଅଭିଯୋଗ କରିଛନ୍ତି । ପ୍ରମିଳାଙ୍କୁ କାଉଁଟର କରିଥିଲେ ବିଜେପି ବିଧାୟକ। ସ୍ବଛତା ପାଇଁ ଆଇନ ଆଣିବାକୁ ବିରୋଧ କରିବା ଘୃଣ୍ୟ ଏବଂ ନିନ୍ଦନୀୟ ବୋଲି କହି କଟାକ୍ଷ କରିଛନ୍ତି । ଏଥିସହ ବଣିକ୍ କୋଚିଂ ସେଂଟର କଥା ଉଠାଇ ବର୍ଷିଛନ୍ତି ।ତେବେ ସରକାରୀ ଚାକିରି ବିକ୍ରି ପ୍ରସଙ୍ଗରେ ଉଭୟ ଦଳଙ୍କୁ ଘେରିଛି କଂଗ୍ରେସ । ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ବିଧାନସଭାରେ ଚାକିରି ବିକ୍ରି ନେଇ ହଙ୍ଗାମା ପରେ ଆଶାୟୀ ପ୍ରାର୍ଥୀଙ୍କ ଭିତରେ ବି ଆକ୍ରୋଷ ବଢ଼ିଛି। ରାଜନୈତିକ କଳି ଭିତରେ ସେମାନଙ୍କ କ୍ୟାରିଅର ବଳି ପଡୁଥିବା କହିଛନ୍ତି ଆଶାୟୀ। ଏଥିସହ ଯେଉଁମାନେ ଟଙ୍କା ଦେଇ ଚାକିରି କରିଛନ୍ତି ସେମାନଙ୍କୁ ଚିହ୍ନଟ କରି ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି ।
ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ହାଟ ବଜାରରେ ଚାକିରି ମିଳୁଥିଲା। ୨୦ଲକ୍ଷ ୩୦ଲକ୍ଷ ଦେଲେ ଚାକିରି ମିଳୁଥିଲା। ପରିଶ୍ରମ କରି ଚାକିରି ପାଇଥିବା ଯୋଗ୍ୟ ପିଲାଙ୍କ ପ୍ରତି ଏହା ଘୋର ଅପମାନ। ଯେଉଁମାନେ ପ୍ରସ୍ତୁତି କରୁଛନ୍ତି ତାଙ୍କ ମନୋବଳ ଭାଙ୍ଗୁଛି। କିନ୍ତୁ ଏଣିକି ଆଉ ସେମିତି ହେବ ନାହିଁ।