କନକବ୍ୟୁରୋ : ଦୁର୍ଗାପୂଜା ପୂର୍ବରୁ ଝାରପଡ଼ାରେ ଝଡ଼ ସୃଷ୍ଟି ହେଲାଣି । ପୂଜା ବନ୍ଦ ନେଇ ଜୋର୍‌ ଧରିଛି ଚର୍ଚ୍ଚା। ପୂଜା ପେଣ୍ଡାଲରେ ପୁଲିସ କ୍ୟାମ୍ପ କରି ବସିଛି। ରାଜନୀତି ଯୋଗୁ ପୂଜାରେ କେଁ ପଶିଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସମାଧାନ ପାଇଁ ଚାଲିଛି ପ୍ରୟାସ  । 
ଦୁର୍ଗାପୂଜାକୁ ଆଉ ମାସେ ରହିଲା ।  ମା’ଙ୍କ ଆଗମନ ନେଇ ଚାଲିଛି ପ୍ରସ୍ତୁତି। ଛୋଟରୁ ବଡ଼ମଣ୍ଡପ ଗୁଡ଼ିକର ତୋରଣ ତିଆରି କାମ ଆରମ୍ଭ ହେଲାଣି  ।  ହେଲେ ପାର୍ବଣ ଆରମ୍ଭରୁ ଝାରପଡ଼ାରେ ଝଡ଼ ସୃଷ୍ଟି ହେଲାଣି। ପୂଜା ପେଣ୍ଡାଲରେ ପୁଲିସ କ୍ୟାମ୍ପ କରି ବସିଛି। କାନ୍ଥରେ ନୋଟିସ୍  ଲାଗିଛି  ।   ୪ରୁ ଅଧିକ ଲୋକ ଯଦି ଏକତ୍ରିତ ହୁଅନ୍ତି, ତାହେଲେ ପୁଲିସ ଟେକି ନେବ  । ସେହି ଭୟରେ କେହି ବି ମଣ୍ଡପ ମୁହାଁ ହେଉ ନାହାଁନ୍ତି ।  କାମ ତ ଦୂରର କଥା, ଏଠି ବାଉଁଶ ବି ପୋତା ହୋଇନି। ଏପରିକି ପୂଜା ବନ୍ଦ ହୋଇଯିବ ବୋଲି ଚର୍ଚ୍ଚା ଜୋର ଧରିଛି  ।

Advertisment

ରାଜନୀତି ଯୋଗୁଁ ପୂଜାରେ କେଁ ପଶିଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।  ସେପଟେ ଆମେ ସମସ୍ତେ ମିଳି ମିଶି ଭାଇଚାରାର ସହ ପୂଜା କରିବୁ ବୋଲି କହିଛନ୍ତି ନୂତନ କମିଟିର ଉପଦେଷ୍ଟା ଜଗା ପ୍ରଧାନ ।  ସେପଟେ ଝାରପଡ଼ା ଦୁର୍ଗାପୂଜା ସମିତି ପୂର୍ବରୁ ପୂଜା କରି ଆସୁଥିଲେ ।  ଏବେ ନୂଆ କମିଟି ପୂଜା କରିବା ଆଶାରେ ରହିଛି । ଉଭୟ ପକ୍ଷ ପାଇଁ ସମାଧାନର ବାଟ ତିଆରି କରିଛନ୍ତି ଭୁବନେଶ୍ୱର ଏଡିଏମ୍  ।  ଆପୋସ ବୁଝାମଣା ସହ ଶାନ୍ତି ଶୃଙ୍ଖଳା ସହ ପୂଜା ପାଇଁ ଚିଠି ଲେଖିଛନ୍ତି ।  କେବଳ ଝାରପଡ଼ା ନୁହେଁ, ଆଗକୁ ଏକାଧିକ ମଣ୍ଡପରେ ଏଭଳି ଝଡ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା ରହିଛି। ପୁଲିସ କେବଳ ନିରବଦ୍ରଷ୍ଟା ହୋଇ ଏସବୁ ଦେଖିବ , ନା ଏହାର ସ୍ଥାୟୀ ସମାଧାନର ସୂତ୍ର ଖୋଜିବ ସେନେଇ ପ୍ରଶ୍ନ ଉଠିଛି ।