America-India : ଭାରତକୁ ପୁଣି ଆମେରିକାର ଚେତାବନୀ : ଋଷିଆଠୁ ତେଲ କିଣନି, ଯଦି କିଣିବ...

ନାଭାରୋ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଭାରତର ଋଷ ଏବଂ ଚୀନ୍‌ ସହ ବଢୁଥିବା ନିକଟତରତାକୁ ଦୃଷ୍ଟିରେ ରଖି ଆମେରିକାର ଅତ୍ୟାଧୁନିକ ସାମରିକ ପ୍ରଯୁକ୍ତିବିଦ୍ୟା ଭାରତକୁ ହସ୍ତାନ୍ତର କରିବା ବିପଦପୂର୍ଣ୍ଣ ହୋଇପାରେ

America India Russia

America India Russia Photograph: (Kanak News)

କନକ ବ୍ୟୁରୋ: ଋଷିଆଠୁ ଭାରତ ତେଲ କିଣୁ ଏକଥା ଆଦୌ ଚାହୁନି ଆମେରିକା । ସେଇଥି ଲାଗି ତ ଆମେରିକା ଭାରତକୁ ପୁଣି ଥରେ ଚେତାବନୀ ଦେଇଛି କି ଋଷିଆଠୁ ଆଉ ତେଲ କିଣନି । ନହେଲେ ପରିଣାନ ଭୋଗିବାକୁ ପଡ଼ିବ । ଅବଶ୍ୟ ଆମେରିକାର ଏ ଶୁଖିଲା ଧମକକୁ ଆଦୌ ଖାତିର କରୁନି ଭାରତ । ହେଲେ ବି ଆମେରିକା ବାରମ୍ବାର କାହିଁକି କହୁଛି ଋଷିଆଠୁ ତେଲ କିଣନି ତାହାକୁ ନେଇ ଚର୍ଚ୍ଚା ଜୋର ।  

ଭାରତକୁ ପୁଣି ନାଲିଆଖି ଦେଖାଇଲା ଆମେରିକା
କହିଲା ଋଷିଆଠୁ ଆଉ ତେଲ କିଣନି

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ବରିଷ୍ଠ ପରାମର୍ଶଦାତା ଭାରତକୁ ଋଷରୁ କଞ୍ଚା ତେଲ କିଣିବା ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ହ୍ଵାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ କହିଛନ୍ତି ଯେ ଯଦି ଭାରତ ଆମେରିକାର ରଣନୈତିକ ସହଯୋଗୀ ଭାବରେ ପରିଗଣିତ ହେବାକୁ ଚାହେ, ତେବେ ସେହିଭଳି ଆଚରଣ କରିବା ଆରମ୍ଭ କରିବା ଉଚିତ । ସେ ଅଭିଯୋଗ କରିଛନ୍ତି ଯେ ଭାରତ ଋଷ ଏବଂ ଚୀନ୍‌ ସହିତ ନିଜର ସମ୍ପର୍କକୁ ଅଧିକ ମଜବୁତ କରୁଛି, ଯାହା ଆମେରିକା ପାଇଁ ଚିନ୍ତାର ବିଷୟ ।

ପିଟର ନାଭାରୋ "ଫାଇନାନ୍ସିଆଲ୍ ଟାଇମ୍ସ"ରେ ପ୍ରକାଶିତ ଏକ ସାକ୍ଷାତକାରରେ କହିଛନ୍ତି ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଭାରତର ତେଲ କ୍ରୟ ପରୋକ୍ଷରେ ପାଣ୍ଠି ଯୋଗାଉଛି ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ । ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ଋଷିଆଠୁ ତେଲ କିଣି ଏକ ବିଶ୍ୱସ୍ତରୀୟ କ୍ଲିଅରିଂହାଉସ୍ ଭାବରେ କାମ କରୁଛି । ଯେଉଁଠାରେ ପ୍ରତିବନ୍ଧିତ କଞ୍ଚା ତେଲକୁ ଉଚ୍ଚ-ମୂଲ୍ୟର ରପ୍ତାନିରେ ପରିଣତ କରାଯାଉଛି ଏବଂ ମସ୍କୋକୁ ଆବଶ୍ୟକ ଡଲାର ଯୋଗାଇ ଦିଆଯାଉଛି। ଭାରତ ଋଷିଆରୁ ତେଲ କିଣୁଥିବାରୁ ଟ୍ରମ୍ପ ପ୍ରଶାସନ ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଇଛନ୍ତି, ଯାହାଫଳରେ ମୋଟ ଶୁଳ୍କ ୫୦%କୁ ବୃଦ୍ଧି ପାଇଛି ।

ନାଭାରୋ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଭାରତର ଋଷ ଏବଂ ଚୀନ୍‌ ସହ ବଢୁଥିବା ନିକଟତରତାକୁ ଦୃଷ୍ଟିରେ ରଖି ଆମେରିକାର ଅତ୍ୟାଧୁନିକ ସାମରିକ ପ୍ରଯୁକ୍ତିବିଦ୍ୟା ଭାରତକୁ ହସ୍ତାନ୍ତର କରିବା ବିପଦପୂର୍ଣ୍ଣ ହୋଇପାରେ । ଏହା ଏକ ଗମ୍ଭୀର ବିଷୟ, କାରଣ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ବିବେଚିତ ହୁଏ  ।

ଆମେରିକାର ଚେତାବନୀ
ଭାରତର ଜବାବ

ଆମେରିକାର ଏହି ଚାପ ଏବଂ ଅଭିଯୋଗକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ କହିଛି ଯେ ଋଷରୁ ତେଲ କିଣିବା ପାଇଁ ଭାରତକୁ ଅନ୍ୟାୟ ଭାବରେ ଟାର୍ଗେଟ କରାଯାଉଛି । ମନ୍ତ୍ରଣାଳୟ ଯୁକ୍ତି ବାଢିଛି ଯେ ଆମେରିକା ଏବଂ ୟୁରୋପୀୟ ସଂଘର ଦେଶମାନେ ମଧ୍ୟ ଋଷ ସହିତ ବାଣିଜ୍ୟ ଜାରି ରଖିଛନ୍ତି । ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶର ଶକ୍ତି ଆବଶ୍ୟକତା ଏବଂ ରଣନୈତିକ ସ୍ୱାୟତ୍ତତାକୁ ସମ୍ମାନ ଦିଆଯିବା ଉଚିତ । କୌଣସି ପ୍ରମୁଖ ଅର୍ଥବ୍ୟବସ୍ଥା ପରି ଭାରତ ନିଜର ଜାତୀୟ ସ୍ୱାର୍ଥ ଏବଂ ଅର୍ଥନୈତିକ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ । 

ଏହି ବିବାଦ ଏପରି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଭାରତ-ଆମେରିକା ସମ୍ପର୍କ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଟ୍ରମ୍ପ ପ୍ରଶାସନର ଶୁଳ୍କ ନୀତି ଯୋଗୁଁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ତିକ୍ତତା ବୃଦ୍ଧି ପାଇଛି । ଅନ୍ୟପଟେ, ଭାରତ ନିଜର ବୈଦେଶିକ ନୀତିରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି । ଏହା ସ୍ପଷ୍ଟ କରୁଛି ଯେ ଭାରତ କେବଳ ପାଶ୍ଚାତ୍ୟ ଦେଶମାନଙ୍କ ସହ ନୁହେଁ ବରଂ ଋଷ ଏବଂ ଚୀନ୍‌ ଭଳି ଦେଶ ସହିତ ମଧ୍ୟ ନିଜର ସମ୍ପର୍କ ବଜାୟ ରଖିବାକୁ ଚାହୁଛି ।

ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ଋଷରୁ ରିହାତି ମୂଲ୍ୟରେ ବହୁ ପରିମାଣର କଞ୍ଚା ତେଲ ଆମଦାନୀ କରିଛି । ଯାହା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଲାଭଦାୟକ ହୋଇଛି । ତେବେ ଏହି ନିଷ୍ପତ୍ତି ଭାରତକୁ ଆମେରିକା ସହ ତା'ର ରଣନୈତିକ ସମ୍ପର୍କ ଏବଂ ଋଷ ସହ ତା'ର ଅର୍ଥନୈତିକ ତଥା ପାରମ୍ପରିକ ସମ୍ପର୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ବାଧ୍ୟ କରୁଛି । ଆଗାମୀ ଦିନରେ ଭାରତର ଏହି କୂଟନୈତିକ ପରୀକ୍ଷା କେଉଁ ସ୍ଥିତି ଉତ୍ପନ୍ନ କରିବ ତାହା ସମୟ କହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe