କନକ ବ୍ୟୁରୋ: ଋଷିଆଠୁ ଭାରତ ତେଲ କିଣୁ ଏକଥା ଆଦୌ ଚାହୁନି ଆମେରିକା । ସେଇଥି ଲାଗି ତ ଆମେରିକା ଭାରତକୁ ପୁଣି ଥରେ ଚେତାବନୀ ଦେଇଛି କି ଋଷିଆଠୁ ଆଉ ତେଲ କିଣନି । ନହେଲେ ପରିଣାନ ଭୋଗିବାକୁ ପଡ଼ିବ । ଅବଶ୍ୟ ଆମେରିକାର ଏ ଶୁଖିଲା ଧମକକୁ ଆଦୌ ଖାତିର କରୁନି ଭାରତ । ହେଲେ ବି ଆମେରିକା ବାରମ୍ବାର କାହିଁକି କହୁଛି ଋଷିଆଠୁ ତେଲ କିଣନି ତାହାକୁ ନେଇ ଚର୍ଚ୍ଚା ଜୋର ।
ଭାରତକୁ ପୁଣି ନାଲିଆଖି ଦେଖାଇଲା ଆମେରିକା
କହିଲା ଋଷିଆଠୁ ଆଉ ତେଲ କିଣନି
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ବରିଷ୍ଠ ପରାମର୍ଶଦାତା ଭାରତକୁ ଋଷରୁ କଞ୍ଚା ତେଲ କିଣିବା ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ହ୍ଵାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ କହିଛନ୍ତି ଯେ ଯଦି ଭାରତ ଆମେରିକାର ରଣନୈତିକ ସହଯୋଗୀ ଭାବରେ ପରିଗଣିତ ହେବାକୁ ଚାହେ, ତେବେ ସେହିଭଳି ଆଚରଣ କରିବା ଆରମ୍ଭ କରିବା ଉଚିତ । ସେ ଅଭିଯୋଗ କରିଛନ୍ତି ଯେ ଭାରତ ଋଷ ଏବଂ ଚୀନ୍ ସହିତ ନିଜର ସମ୍ପର୍କକୁ ଅଧିକ ମଜବୁତ କରୁଛି, ଯାହା ଆମେରିକା ପାଇଁ ଚିନ୍ତାର ବିଷୟ ।
ପିଟର ନାଭାରୋ "ଫାଇନାନ୍ସିଆଲ୍ ଟାଇମ୍ସ"ରେ ପ୍ରକାଶିତ ଏକ ସାକ୍ଷାତକାରରେ କହିଛନ୍ତି ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଭାରତର ତେଲ କ୍ରୟ ପରୋକ୍ଷରେ ପାଣ୍ଠି ଯୋଗାଉଛି ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ । ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ଋଷିଆଠୁ ତେଲ କିଣି ଏକ ବିଶ୍ୱସ୍ତରୀୟ କ୍ଲିଅରିଂହାଉସ୍ ଭାବରେ କାମ କରୁଛି । ଯେଉଁଠାରେ ପ୍ରତିବନ୍ଧିତ କଞ୍ଚା ତେଲକୁ ଉଚ୍ଚ-ମୂଲ୍ୟର ରପ୍ତାନିରେ ପରିଣତ କରାଯାଉଛି ଏବଂ ମସ୍କୋକୁ ଆବଶ୍ୟକ ଡଲାର ଯୋଗାଇ ଦିଆଯାଉଛି। ଭାରତ ଋଷିଆରୁ ତେଲ କିଣୁଥିବାରୁ ଟ୍ରମ୍ପ ପ୍ରଶାସନ ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଇଛନ୍ତି, ଯାହାଫଳରେ ମୋଟ ଶୁଳ୍କ ୫୦%କୁ ବୃଦ୍ଧି ପାଇଛି ।
ନାଭାରୋ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଭାରତର ଋଷ ଏବଂ ଚୀନ୍ ସହ ବଢୁଥିବା ନିକଟତରତାକୁ ଦୃଷ୍ଟିରେ ରଖି ଆମେରିକାର ଅତ୍ୟାଧୁନିକ ସାମରିକ ପ୍ରଯୁକ୍ତିବିଦ୍ୟା ଭାରତକୁ ହସ୍ତାନ୍ତର କରିବା ବିପଦପୂର୍ଣ୍ଣ ହୋଇପାରେ । ଏହା ଏକ ଗମ୍ଭୀର ବିଷୟ, କାରଣ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ବିବେଚିତ ହୁଏ ।
ଆମେରିକାର ଚେତାବନୀ
ଭାରତର ଜବାବ
ଆମେରିକାର ଏହି ଚାପ ଏବଂ ଅଭିଯୋଗକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ କହିଛି ଯେ ଋଷରୁ ତେଲ କିଣିବା ପାଇଁ ଭାରତକୁ ଅନ୍ୟାୟ ଭାବରେ ଟାର୍ଗେଟ କରାଯାଉଛି । ମନ୍ତ୍ରଣାଳୟ ଯୁକ୍ତି ବାଢିଛି ଯେ ଆମେରିକା ଏବଂ ୟୁରୋପୀୟ ସଂଘର ଦେଶମାନେ ମଧ୍ୟ ଋଷ ସହିତ ବାଣିଜ୍ୟ ଜାରି ରଖିଛନ୍ତି । ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶର ଶକ୍ତି ଆବଶ୍ୟକତା ଏବଂ ରଣନୈତିକ ସ୍ୱାୟତ୍ତତାକୁ ସମ୍ମାନ ଦିଆଯିବା ଉଚିତ । କୌଣସି ପ୍ରମୁଖ ଅର୍ଥବ୍ୟବସ୍ଥା ପରି ଭାରତ ନିଜର ଜାତୀୟ ସ୍ୱାର୍ଥ ଏବଂ ଅର୍ଥନୈତିକ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ।
ଏହି ବିବାଦ ଏପରି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଭାରତ-ଆମେରିକା ସମ୍ପର୍କ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଟ୍ରମ୍ପ ପ୍ରଶାସନର ଶୁଳ୍କ ନୀତି ଯୋଗୁଁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ତିକ୍ତତା ବୃଦ୍ଧି ପାଇଛି । ଅନ୍ୟପଟେ, ଭାରତ ନିଜର ବୈଦେଶିକ ନୀତିରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଚୀନ୍ର ବୈଦେଶିକ ମନ୍ତ୍ରୀ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି । ଏହା ସ୍ପଷ୍ଟ କରୁଛି ଯେ ଭାରତ କେବଳ ପାଶ୍ଚାତ୍ୟ ଦେଶମାନଙ୍କ ସହ ନୁହେଁ ବରଂ ଋଷ ଏବଂ ଚୀନ୍ ଭଳି ଦେଶ ସହିତ ମଧ୍ୟ ନିଜର ସମ୍ପର୍କ ବଜାୟ ରଖିବାକୁ ଚାହୁଛି ।
ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ଋଷରୁ ରିହାତି ମୂଲ୍ୟରେ ବହୁ ପରିମାଣର କଞ୍ଚା ତେଲ ଆମଦାନୀ କରିଛି । ଯାହା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଲାଭଦାୟକ ହୋଇଛି । ତେବେ ଏହି ନିଷ୍ପତ୍ତି ଭାରତକୁ ଆମେରିକା ସହ ତା'ର ରଣନୈତିକ ସମ୍ପର୍କ ଏବଂ ଋଷ ସହ ତା'ର ଅର୍ଥନୈତିକ ତଥା ପାରମ୍ପରିକ ସମ୍ପର୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ବାଧ୍ୟ କରୁଛି । ଆଗାମୀ ଦିନରେ ଭାରତର ଏହି କୂଟନୈତିକ ପରୀକ୍ଷା କେଉଁ ସ୍ଥିତି ଉତ୍ପନ୍ନ କରିବ ତାହା ସମୟ କହିବ ।