କନକ ବ୍ୟୁରୋ: ଖଲ୍ଲିକୋଟର ପୂରାତନ ଜଗନ୍ନାଥ ମନ୍ଦିର ସିଂହଦ୍ୱାର ଗୁମୁଟରୁ ଖସିଲା ପଥର । ୨ ବର୍ଷ ତଳେ ଏହି ସ୍ଥାନରୁ ବଡ଼ ପଥର ଖସିଥିବା ବେଳେ ଏବେ ପୁଣି ଥରେ ପଥର ଖସିଛି । ଯେଉଁଠୁ ଖସିଥିଲା ଏବେ ତା’ର ବିପରୀତ ଦିଗରୁ ପଥର ଖସି ପଡିଛି ।
ଗତ ୪ ମାସ ତଳେ ମୁଖ୍ୟ ମନ୍ଦିରର ଉତ୍ତର ଦିଗରେ ଥିବା ଏକ ସିଂହ ପଥର ମୂର୍ତ୍ତି ଖସି ପଡିଥିଲା। ଏହାସହ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଦୀର୍ଘ ଦୁଇ ବର୍ଷ ଧରି ଘେରି ରହିଥିବା ବାଉଁଶ ଗୁଡିକୁ ବାହାର କରିବା ବେଳେ ଦକ୍ଷିଣ ଦିଗ ରେ ଥିବା ବରାହ ମୂର୍ତ୍ତି ଭାଙ୍ଗି ଯାଇଥିଲା । ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ଗୁମୁଟରୁ ପଥର ଖସିବା ନେଇ ଖଲ୍ଲିକୋଟ ସହରର ବୁଦ୍ଧିଜୀବୀ ଓ ଭକ୍ତମାନେ ମନ୍ଦିରର ସ୍ଥାୟିତ୍ୱ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ରକ୍ଷଣା ବେକ୍ଷଣ ଅଭାବରୁ ମନ୍ଦିରରୁ ପଥର ଖସିବାରେ ଲାଗିଛି । ମନ୍ଦିରର ମରାମତି ପାଇଁ ଖଲ୍ଲିକୋଟର ବହୁ ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ ଦାବୀ କରିଛନ୍ତି । ଆବଶ୍ୟକ ପଡିଲେ ଏଥିପାଇଁ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।