କନକ ବ୍ୟୁରୋ : ବଉଳମାଳ ପଥରକୁ ଜୀବନ୍ତ ରୂପ ଦେବାରେ ବେଶ୍ ସିଦ୍ଧହସ୍ତ ଖୋର୍ଦ୍ଧା ସଦର ବ୍ଲକ ନରଣଗଡ଼ ପଞ୍ଚାୟତର ପଥର ଶିଳ୍ପୀ । ଏମାନେ ଏହି କାମ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ହେଲେ ଏମାନଙ୍କୁ ଏବେ ଘାରିଛି କଞ୍ଚାମାଲ ଚିନ୍ତା । ନରଣଗଡ଼ ପଞ୍ଚାୟତରେ ଥିବା ବଉଳମାଳ ପାହାଡକୁ ଓଏମସି ନିଲାମ ନେବା ପରେ ଏମାନଙ୍କର ସମସ୍ୟା ବଢ଼ିଛି । ପଥର ନମିଳିବାରୁ ଏମାନେ ହାତବାନ୍ଧି ବସି ରହିଛନ୍ତି । ସେପଟେ କାଁ ଭାଁ ପଡିରହିଥିବା ପଥରକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ଚଢ଼ାଉ କରି ଜବତ କରୁଛି । ଏମାନଙ୍କର ଜୀବନ ଜୀବିକା ଉପରେ ଏହାର ପ୍ରଭାବ ପଡିଛି । ତେଣୁ କିପରି ରୋଜଗାର କରିବେ ଓ ବର୍ଷ ବର୍ଷ ଧରି କରିଆସୁଥିବା ବେଉଷା ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ସ୍ଥିତି ଏପରି ହୋଇଛି କୂଳବେଉସା ଛାଡ଼ି ପଥର ଶିଳ୍ପୀ ଏବେ ଦାଦନ ମୁହାଁ ହୋଇଛନ୍ତି । ଅନେକ ଶିଳ୍ପୀ ପଥର କାମ ଛାଡି ଅନ୍ୟ କାମ କରୁଛନ୍ତି ।
ରାଜ୍ୟ ସରକାର ପଥର ଶିଳ୍ପୀଙ୍କୁ ପରିଚୟ ଦେଇଥିଲେ । ହସ୍ତତନ୍ତ ବିଭାଗ ପକ୍ଷରୁ ଏମାନଙ୍କୁ ପରିଚୟପତ୍ର ମିଳିଛି । ସେହିପରି ପଥର ଶିଳ୍ପ କରି ରୋଜଗାରକ୍ଷମ ହେବାକୁ ବିଭିନ୍ନ ବ୍ୟାଙ୍କ ମଧ୍ୟ ଏମାନଙ୍କୁ ଋଣ ପ୍ରଦାନ କରିଛି । କିନ୍ତୁ କଂଚାମାଲ ମିଳୁନଥିବାରୁ ସେସବୁ ଏବେ ଅଲୋଡା ହୋଇଯାଇଛି । ନରଣଗଡ଼ ପଞ୍ଚାୟତର ଭୋଗପୁର, ନରଣଗଡ଼, ବଳପୁର, ଧବଳପୁର ଓ କୁରୁମପଡାର ଶତାଧିକ ଶିଳ୍ପୀ ପରିବାର ଏବେ ଦାଦନ ଖଟିବାକୁ ନିଷ୍ପତ୍ତି ନେଇଛନ୍ତି ।
ନରଣଗଡ଼ରେ ଆଉ ଶିଳ୍ପିଙ୍କର ନିହାଣ ଶବ୍ଦ ସୁଭୁନାହିଁ । ଗୁମୁରି କାନ୍ଦୁଛନ୍ତି କାରିଗର । ଆଗକୁ ସରକାର ଏମାନଙ୍କର ସମସ୍ୟାର ସମାଧାନ କରିବା ସହିତ ବଉଳମାଳ ପଥର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।