କନକବ୍ୟୁରୋ : ଆଜି କେମିତି ରହିବ ସେୟାର ବଜାର। ବଜେଟ୍ ପରେ ଆଜି ଖୋଲିବ ସେୟାର ବଜାର। ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଇନ୍କମ୍ ଟ୍ୟାକ୍ସ ଛାଡ ସହ ଅନେକ ବଡ଼ ଘୋଷଣା କରିଥିଲେ । ଏହା ସତ୍ବେ ବଜେଟ ଦିନ ସେୟାର ବଜାରରେ ସୁଧାର ଆସିନଥିଲା । ବଜେଟକୁ ଆଖି ଆଗରେ ରଖି ଛୁଟି ଦିନରେ ମଧ୍ୟ ସେୟାର ମାର୍କେଟକୁ ଖୋଲା ରଖାଯାଇଥିଲା ।
ବଜେଟ ଘୋଷଣା ଆରମ୍ଭରୁ ସେୟାର ମାର୍କେଟ ମଧ୍ୟ ଅପ ଟ୍ରେଣ୍ଡରେ ଚାଲୁଥିଲା। ହେଲେ କିଛି ସମୟ ପରେ ହଠାତ ସେୟାର ବଜାର କ୍ରାସ୍ କରିବା ସ୍ଥିତି ଉପୁଜିଥିଲା । ନିଫ୍ଟି ହେଉ କି ବ୍ୟାଙ୍କ ନିଫ୍ଟି, ସେନସେକ୍ସ ହେଉ ଅବା ଫିନ୍ ନିଫ୍ଟି, ସମସ୍ତ ଇଣ୍ଡେକ୍ସ ଦ୍ରୁତ ଗତିରେ ତଳମୁହାଁ ହୋଇଯାଇଥିଲା । ବଜେଟ ପାଇଁ ସେୟାର ମାର୍କେଟ ଉପରକୁ ଯିବ ବୋଲି ଆଶା କରି ଯେଉଁ ନିବେଶକ ମାନେ ଟଙ୍କା ନିବେଶ କରିଥିଲେ, ସେମାନଙ୍କର ଆଖିପିଛୁଳାକେ ଲକ୍ଷ ଲକ୍ଷ ଟଙ୍କା ବୁଡିଯାଇଥିଲା। ତେବେ ଆଜି ବଜାର ଖୋଲିବା ପରେ କାରବାର ଉପରେ ନଜର ରହିବ ।