କନକ ବ୍ୟୁରୋ : ସନ୍ଦେହ ଘେରରେ ନିର୍ବାଚନ କମିସନ, ଲୋକସଭା ନିର୍ବାଚନ ଠାରୁ ଆରମ୍ଭ କରି କିଛି ରାଜ୍ୟର ବିଧାନସଭା ନିର୍ବାଚନରେ ମତଦାନ ବେଳେ ହେରଫେର କରାଯାଇଥିବା ନେଇ ରାହୁଲ ଗାନ୍ଧୀ ପ୍ରମାଣ ସହ ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ଏବେ ସାରା ଦେଶର ରାଜନୀତି ବେଶ୍ ସରଗରମ ହୋଇଛି । ରାହୁଲଙ୍କ ଅଭିଯୋଗକୁ ନେଇ ନିର୍ବାଚନ କମିସନ ସାମ୍ନାକୁ ଆସୁନଥିବା ବେଳେ ନିର୍ବାଚନ କମିସନଙ୍କ ପାଇଁ ବ୍ୟାଟିଂ କରୁଛି ବିଜେପି  ଓ ଏନଡିଏର କିଛି ସହଯୋଗୀ ଦଳ । ରାହୁଲଙ୍କ ଆରୋପ ହେଉ କି ଏନଡିଏର ପ୍ରତ୍ୟାରୋପ ହେଉ ଏପର୍ଯ୍ୟନ୍ତ କାହାରି କଥାର ସତ୍ୟତା ସାମ୍ନାକୁ ଆସିପାରିନାହିଁ । ଏହାରି ଭିତରେ କଂଗ୍ରେସ ପକ୍ଷରୁ ଅଗଷ୍ଟ ୧୧ ତାରିଖରେ ଏକ ବଡ଼ ବୈଠକ ବସିବାକୁ ଯାଉଛି । ଏଥିରେ ପାର୍ଟିର ମହାସଚିବ, ବିଭିନ୍ନ ରାଜ୍ୟର ପ୍ରଭାରୀ ଯୋଗଦେବେ । ଏହି ବୈଠକରେ ମତଦାତା ସୂଚୀରେ ହେରଫେର, ନିର୍ବାଚନରେ ହୋଇଥିବା ବେଆଇନ କାର୍ଯ୍ୟକୁ ନେଇ ସାରା ଦେଶରେ କଂଗ୍ରେସ ପ୍ରତିବାଦ କରିବ, ଏହି ପ୍ରତିବାଦର ତରିକା କ'ଣ ରହିବ ସେନେଇ ଋଣନୀତି ପ୍ରସ୍ତୁତ କରାଯିବ । ଏବେ କଂଗ୍ରେସ ତାର ସହଯୋଗୀ ଦଳମାନଙ୍କ ସହ ମିଶି ବିହାରରେ ଚାଲିଥିବା ଏସଆଇଆରକୁ ବିରୋଧ କରିବା ଜାରି ରଖିଛି ।

Advertisment

କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଏକ ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି ଭାରତ ଛାଡ ଆନ୍ଦୋଳନ ବେଳେ ବାପୁ କର ବା ମର ଡାକରା ଦେଇଥିଲେ । ସେହିଭଳି ଲୋକତନ୍ତ୍ରକୁ ରକ୍ଷା କରିବାକୁ ନିର୍ବାଚନ କମିସନ ଓ ବିଜେପି ବିରୋଧରେ କର ବା ମର ଅଭିଯାନ ଚଳାଇବାକୁ ପଡ଼ିବ । 

ଅଗଷ୍ଟ ୭ ତାରିଖରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରି ମତଦାତା ସୂଚୀରେ କିଭଳି ନିର୍ବାଚନ ଆୟୋଗଙ୍କ ଦ୍ୱାରା ହେରଫେର କରାଯାଇଛି ତାର ଗୋଟିଏ ପରେ ଗୋଟିଏ ଚିଠା ଖୋଲି ଦେଇଥିଲେ । ନିର୍ବାଚନ ଆୟୋଗଙ୍କ ଦ୍ୱାରା ମିଳିଥିବା କାଗଜକୁ ସେ ସାମ୍ବାଦିକମାନଙ୍କ ସାମ୍ନାରେ ଉପସ୍ଥାପନ କରିଥିଲେ । ଏଥିରେ ସେ ସ୍ପଷ୍ଟ ଭାବେ ଦେଖାଇଥିଲେ କି କର୍ଣ୍ଣାଟକର ମହାଦେବପୁରା ଆସନରେ କିଭଳି ୧ ଲକ୍ଷରୁ ଅଧିକ ଭୋଟ ଚୋରି କରାଯାଇଛି । 

ରାହୁଲ ଗାନ୍ଧୀଙ୍କ ଏଭଳି ଅଭିଯୋଗକୁ ନେଇ ନିର୍ବାଚନ ଆୟୋଗ ପ୍ରତିକ୍ରିୟା ଦେଇଛନ୍ତି । ଆୟୋଗ କହିଛି କି, ରାହୁଲ ଗାନ୍ଧୀ ଆଣିଥିବା ଅଭିଯୋଗ ଉପରେ ତାଙ୍କର ଯଦି ଭରସା ରହିଛି ତେବେ ଅଭିଯୋଗ ନେଇ ସେ ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ଶପଥପାଠ ଦାଖଲ କରନ୍ତୁ । ନହେଲେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । 

ଏସବୁ ଭିତରେ କଂଗ୍ରେସ ନେତା ମଣିକମ୍ ଟାଗୋର କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି କି, ନିର୍ବାଚନ ଆୟୋଗଙ୍କ ନାମରେ ଯଦି ଏତେବଡ଼ ଅଭିଯୋଗ ଆସୁଛି ତେବେ ସଂସଦରେ ଏନେଇ ଚର୍ଚ୍ଚା କରିବାକୁ ସରକାର ପ୍ରସ୍ତୁତ କରନ୍ତୁ । ୟୁପିଏ ସରକାର ସମୟରେ ମଧ୍ୟ ଏଭଳି ଚର୍ଚ୍ଚା ହୋଇଥିବା କହିଛନ୍ତି ମଣିକମ୍ ଟାଗୋର । 

ସେପଟେ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ସହ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଏକ ଖୋଲାସା ଏବେ ନିର୍ବାଚନ କମିସନଙ୍କୁ କାଠଗଡ଼ାରେ ଠିଆ କରିବା ସହ ରାହୁଲଙ୍କୁ ବଳ ଯୋଗାଇଛି । ସେ କହିଛନ୍ତି କି, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଦୁଇଜଣ ଭେଟି ମହାରାଷ୍ଟ୍ର ନିର୍ବାଚନରେ ୮୮ ଆସନ ଜିତାଇଦେବାକୁ କହିଥିଲେ । ହେଲେ ଶରଦ ପାୱାର ସେମାନଙ୍କୁ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ । ହେଲେ ରାହୁଲ ଗାନ୍ଧୀ କହିଥିଲେ କି ଲୋକତନ୍ତ୍ରରେ ଲୋକଙ୍କ ମତରେ ସରକାର ଗଠନ ହେବ । ଭୋଟ ଚୋରି ନିର୍ବାଚନ ଜିତିବା ଇଣ୍ଡିଆ ମେଣ୍ଟର ଲକ୍ଷ୍ୟ ନୁହେଁ ।