କନକ ବ୍ୟୁରୋ: ଆତ୍ମହତ୍ୟାର ୪ ଦିନ ପରେ ହରିୟାଣାର ଅତିରିକ୍ତ ପୁଲିସ ଡିଜି ୱାଇ. ପୂରନ କୁମାରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଏହି ମାମଲାରେ ରୋହତକ୍ ପୁଲିସ ଡିଜିଙ୍କୁ ହରିୟାଣା ସରକାର ପଦରୁ ହଟାଇ ଦେଇଛନ୍ତି । ସେପଟେ ତେଜିଛି ରାଜନୀତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମୃତ ଆଇପିଏସ୍ ଅଫିସରଙ୍କ ପତ୍ନୀଙ୍କୁ ଚିଠି ଲେଖି ସାନ୍ତ୍ବନା ଦେଇଛନ୍ତି ।
ହରିୟାଣା ଆଇପିଏସ୍ ଆତ୍ମହତ୍ୟା ମାମଲା
ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ
ପଦରୁ ହଟିଲେ ରୋହତକ ଏସ୍ପି
ହରିୟାଣା ଏଡିଜିପି ୱାଇ. ପୂରନ କୁମାରଙ୍କ ଆତ୍ମହତ୍ୟା ନେଇ ବିବାଦ ବଢ଼ୁଛି । ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ହରିୟାଣା ସରକାର । ରୋହତକ ପୁଲିସ୍ ସୁପରିନଟେଣ୍ଡେଣ୍ଟ ନରେନ୍ଦ୍ର ବିଜରନିୟାଙ୍କୁ ପଦରୁ ହଟାଯାଇଛି । ତାଙ୍କୁ କୌଣସି ନୂଆ ପଦ ଦିଆଯାଇ ନାହିଁ । ତାଙ୍କ ଜାଗାରେ ରୋହତକର ନୂଆ ଏସପି ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ମୃତ ଆଇପିଏସ୍ ଅଧିକାରୀଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ ଉଚ୍ଚ ଅଧିକାରୀମାନେ ତାଙ୍କ ସ୍ବାମୀଙ୍କୁ ମାନସିକ ନର୍ଯାତନା ଦେବା ସହିତ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ୧୩ ପୁଲିସ୍ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି ।
ବିବାଦ ବଢ଼ୁଛି, ରାଜନୀତି ତେଜୁଛି
ହରିୟାଣା ଡିଜିପିଙ୍କ ଇସ୍ତଫା ପାଇଁ ବଢ଼ୁଛି ଦାବି
ଅକ୍ଟୋବର ୭ରେ ବରିଷ୍ଠ ଆଇପିଏସ୍ ଅଧିକାରୀ ୱାଇ. ପୂରନ କୁମାର ନିଜ ଚଣ୍ଡିଗଡ଼ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିଲେ । ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରିଥିଲେ ପୂରନ କୁମାର । ସେ ଛାଡ଼ି ଯାଇଥିବା ସୁଇସାଇଡ୍ ନୋଟରେ କିଛି ପୁଲିସ୍ ଅଧିକାରୀ ଓ ୨ ଜଣ ଆଇଏଏସ୍ ଅଧିକାରୀଙ୍କ ନାଁ ଉଲ୍ଲେଖ କରିଥିଲେ । ଏମାନେ ତାଙ୍କୁ ଲଗାତର ଭାବେ ମାନସିକ ନିର୍ଯାତନା ଦେଉଥିବା ସେ ଲେଖିଛନ୍ତି । ଏସବୁ ଭିତରେ ହରିୟାଣା ଡିଜିପି ଶତୃଜିତ ସିଂ କପୁରଙ୍କ ଇସ୍ତଫା ପାଇଁ ଦାବି ତେଜିଛି । ଅନ୍ୟ ଏକ ଘଟଣାକ୍ରମରେ ମୃତ୍ୟୁର ୪ ଦିନ ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ସେପଟେ ଏହି ମାମଲାକୁ ନେଇ ରାଜନୀତି ତେଜିଛି । ହରିୟାଣା ସରକାରଙ୍କୁ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି । ମୃତ ପୂରନ କୁମାରଙ୍କ ପତ୍ନୀଙ୍କୁ ଚିଠି ଲେଖି ସାନ୍ତ୍ବନା ଦେଇଛନ୍ତି ସୋନିଆ ଗାନ୍ଧୀ । ଏକ ୬ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ମାମଲାର ତଦନ୍ତ କରୁଛି। ଆଇଜି ପୁଷ୍ପେନ୍ଦ୍ର କୁମାର ଏହି ଟିମର ନେତୃତ୍ବ ନେଇଛନ୍ତି ।