କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ଖବର ବାଜିବା ପରେ ମହିଳା ଆରଆଇଙ୍କ ହେଲା ବୟାନ ରେକର୍ଡ । ପିପିଲିରେ ମହିଳା ଆରଆଇଙ୍କୁ ଯୌନ ନିର୍ଯାତନା ମାମଲାରେ ୭୨ ଘଣ୍ଟା ପରେ ବି ପୁଲିସ ଚୁପ୍ ବସିଥିବା ନେଇ ଆଜି ସକାଳୁ ଖବର ପ୍ରସାରଣ କରିଥିଲୁ । ଆଉ ଏହା ପ୍ରଭାବରେ ଅଭିଯୋଗକାରିଣୀ ଆରଆଇଙ୍କ ବୟାନ ରେକର୍ଡ କରାଯାଇଛି । ସେପଟେ ସାମ୍ନାକୁ ଆସିଛି ତହସିଲଦାର କାର୍ଯ୍ୟାଳୟର ସିସିଟିଭି ଦୃଶ୍ୟ । ସିସିଟିଭିରେ ସଫା ସଫା ଦେଖିବାକୁ ମିଳିଛି ଯେ, ଅତିରିକ୍ତ ତହସିଲଦାର ପ୍ରବୋଧ ମହାନ୍ତି, ମହିଳା ଆରଆଇଙ୍କ ହାତ ଧରି ନିଜ କକ୍ଷକୁ ଟାଣୁଛନ୍ତି । ମାତ୍ର ମହିଳା ଆରଆଇ ଜଣଙ୍କ ହାତ ଛାଟି ସେଠାରୁ ଚାଲିଯାଉଛନ୍ତି । ଏ ସିସିଟିଭି ଅତିରିକ୍ତ ତହସିଲଦାର ପ୍ରବୋଧ ମହାନ୍ତିଙ୍କ ହୀନ ମାନସିକତାକୁ ଦର୍ଶାଉଛି ।
ଗତ ୨୪ ତାରିଖ ଅପରାହ୍ଣରୁ ଅତିରିକ୍ତ ତହସିଲଦାର ପ୍ରବୋଧ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ତାଙ୍କୁ ପଚରାଉଚରା କରାଯାଇନାହିଁ କି ତାଙ୍କୁ ଗିରଫ କରିବାକୁ ପୁଲିସର ହାତ ଯାଉନି । କାହା ଚାପରେ ପିପିଲି ପୁଲିସ ଚେପା ହୋଇଯାଇଛି ବୋଲି ପ୍ରଶ୍ନ ଉଠିଛି । ବଡ଼ କଥା ହେଉଛି, ଜଣେ ମହିଳା ଆରଆଇ ନିଜ ଅଫିସରେ ସୁରକ୍ଷିତ ନାହାନ୍ତି । ମିଟିଂକୁ ଆସିଥିବା ମହିଳା ଆରଆଇଙ୍କୁ ଏ ବାବୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ପରେ ବିନା ତଦନ୍ତରେ ଅତିରିକ୍ତ ତହସିଲଦାର ପ୍ରବୋଧ ମହାନ୍ତିଙ୍କୁ ବ୍ରହ୍ମଗିରି ବଦଳି କରି ଦିଆଯାଇଛି । ମୁଖ୍ୟାଳୟରେ ନ ରଖି ଜିଲ୍ଲାପାଳ ତାଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦେବା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।