କନକ ବ୍ୟୁରୋ: କେନ୍ଦ୍ର ପରେ ରାଜ୍ୟ ବି ବଢ଼ାଇବ ଗରିବଙ୍କୁ ମାଗଣା ଚାଉଳ ଅବଧି । ୨୦୨୮ ପର୍ୟ୍ୟନ୍ତ ବଢ଼ିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଯେଉଁଥିରେ ଗରିବଙ୍କୁ ମାଗଣାରେ ଭିଟାମିନ ଯୁକ୍ତ ଚାଉଳ ଯୋଗାଇ ଦେବେ କେନ୍ଦ୍ର ସରକାର । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଗରିବ ଲୋକଙ୍କ ପାଇଁ ଏହା ନିହାତି ଆବଶ୍ୟକ । ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନାରେ ମଧ୍ୟ ସେହି ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରିବେ ।
ଅନ୍ୟପଟେ ରାସନ କାର୍ଡ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ରାସନ କାର୍ଡ Ekyc ଚାଲିଛି । ପାଖାପାଖି ୨ କୋଟି ୩୦ ଲକ୍ଷ Ekyc ସରିଲାଣି । ୧ କୋଟି ପାଖାପାଖି ଲୋକଙ୍କ Ekyc ବାକି ଅଛି । ତେବେ ୧୫ରୁ ୨୦ ଦିନ ଭିତରେ Ekyc ସରିଯିବ । ତା ପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇନ୍ତି ।
ଏହାସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଳୁ ମିଶନ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଉତ୍ତର ପ୍ରଦେଶ ଏବଂ ପଞ୍ଜାବରୁ ଆଳୁ ବିହନ ଆଣି ଚାଷୀଙ୍କୁ ଯୋଗାଇ ଦିଆଯିବ । ଭଲ କ୍ୱାଲିଟିର ବିହନ ଚାଷୀଙ୍କୁ ଦେବେ ସରକାର । ଏ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଘୋଷଣା କରିଛନ୍ତି । ଆଳୁ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହେବ ଓଡ଼ିଶା । ଆଉ କୌଣସି ରାଜ୍ୟ ଆଗରେ ହାତ ପତାଇବ ନାହିଁ । ମୁଖ୍ୟମନ୍ତ୍ରୀ ମଧ୍ୟ ୫୮ଟି ସବ-ଡିଭିଜନରେ ୫୮ଟି ଶୀତଳଭଣ୍ଡାର ତିଆରି କରିବା ପାଇଁ ନିଷ୍ପତି ନେଇଛନ୍ତି । ବର୍ଷେ ଦୁଇ ବର୍ଷ ଭିତରେ ସରକାରଙ୍କ ଯୋଜନା ସଫଳ ରୂପାୟନ ହେବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।