କନକ ବ୍ୟୁରୋ: ପିଲାଙ୍କଠୁ ବୟସ୍କ, ସମସ୍ତଙ୍କ ଖାଇବା ଥାଳିରେ ପୋଷଣର ଅନ୍ୟତମ ଉତ୍ସ ଭାବେ ସରକାର ଅଣ୍ଡା ଦେଉଛନ୍ତି। ଏଥିପାଇଁ ଏକାଧିକ ଯୋଜନା କରାଯାଇଛି। ହେଲେ ପ୍ରଶ୍ନ ଉଠିଲାଣି, ଚାହିଦା ମୁତାବକ ଅଣ୍ଡା ଉପଲବ୍ଧ ନଥିବା ବେଳେ ଏସବୁ ଯୋଜନା କାର୍ଯ୍ୟକାରୀ ହେଉଛି କେମିତି? ସରକାରୀ ଦରଠୁ ବଜାରରେ ଅଣ୍ଡା ଦର ଅଧିକ ଥିବା ବେଳେ, ଯୋଗାଣ ହେଉଛି କେମିତି? 

Advertisment

ଶସ୍ତାରେ ମିଳୁଥିବା ଆମିଷ ଖାଦ୍ୟ, ଅଣ୍ଡାରେ ରହିଛି ପ୍ରଚୁର ପ୍ରୋଟିନ୍‌। ରିପୋର୍ଟ କୁହେ, ଏକ ଛୋଟ ଅଣ୍ଡାରୁ ୪.୭୯ ଗ୍ରାମ୍‌ ପ୍ରୋଟିନ୍‌ ମିଳିଥାଏ। ମଧ୍ୟମ ଧରଣର ଅଣ୍ଡାରେ ପ୍ରୋଟିନ୍‌ର ପରିମାଣ ୫.୫୪ ଗ୍ରାମ୍‌। ଅପପୁଷ୍ଟିରେ ଜଡ଼ସଡ଼ ଗର୍ଭବତୀ, ଛାତ୍ରଛାତ୍ରୀ, ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ସରକାର ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ଅଣ୍ଡା ଦେବାର ବ୍ୟବସ୍ଥା କରିଛନ୍ତି।  

୭ମାସରୁ ୨ବର୍ଷ ୧୧ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ଦିଆଯାଏ ମାସିକ ୧୨ଟି ଅଣ୍ଡା 
୩ରୁ ୬ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଦିଆଯାଏ ମାସିକ ୫ଟି
୧୪ରୁ ୧୬ ବର୍ଷର କିଶୋର କିଶୋରୀଙ୍କ ପାଇଁ ୧୬ଟି ଅଣ୍ଡା
ଗର୍ଭବତୀ ବା ପ୍ରସୂତୀଙ୍କୁ ମାସିକ ୧୨ ଅଣ୍ଡା ଦିଆଯାଏ
ପ୍ରଶ୍ନ ଉଠୁଛି, ଏତେ ଅଣ୍ଡା ସରକାର ଆଣୁଛନ୍ତି କେଉଁଠୁ? 

ଭାରତୀୟ ଭେଷଜ ଅନୁସନ୍ଧାନ ସଂସ୍ଥା-ICMRର ରିପୋର୍ଟ କହୁଛି, ରାଜ୍ୟରେ ବାର୍ଷିକ ମୁଣ୍ଡପିଛା ୧୮୦ଟି ଅଣ୍ଡା ଆବଶ୍ୟକ। କିନ୍ତୁ ଉତ୍ପାଦିତ ହେଉଛି ମାତ୍ର ୮୦ଟି ଅଣ୍ଡା। ଅର୍ଥାତ୍ ରାଜ୍ୟରେ ଆବଶ୍ୟକତାଠାରୁ ୧୦୦ଟି କମ୍‌ ଅଣ୍ଡା ଉତ୍ପାଦିତ ହେଉଛି।

ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି, ୨୦୧୯-୨୦ରେ ଓଡ଼ିଶାରେ ବାର୍ଷିକ ମୁଣ୍ଡପିଛା ଅଣ୍ଡା ଉତ୍ପାଦନ ଥିଲା ୫୩। ସେବେ ଅଣ୍ଡା ଉତ୍ପାଦନରେ ଜାତୀୟ ହାର ଥିଲା ୮୬। ୨୦୨୩-୨୪ରେ ଅଣ୍ଡା ଉତ୍ପାଦନ ବଢ଼ି ଓଡ଼ିଶାରେ ୭୨ ଛୁଇଁଲା। ସେବେ ଜାତୀୟ ହାର ଥିଲା ୧୦୩। ଅର୍ଥାତ୍ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଉଥିଲେ ବି ଜାତୀୟ ହାରଠୁ ପଛରେ ରହିଛି ଓଡ଼ିଶା। 

କୌତୁହଳର ବିଷୟ ହେଉଛି, ଓଡ଼ିଶାରେ ଉତ୍ପାଦିତ ଅଣ୍ଡା ପିଲାଙ୍କୁ ଅଣ୍ଟୁନି। ଅଥଚ ଓମାନ, କତାର ଓ ଅନ୍ୟ ଆଫ୍ରିକୀୟ ଦେଶକୁ ରାଜ୍ୟରୁ ଅଣ୍ଡା ଯୋଗାଣ ହେଉଛି।