କନକ ବ୍ୟୁରୋ : ରାଜ୍ୟରେ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପଗୁଡିକୁ ଋଣ ପ୍ରଦାନ କରିବାକୁ ରାଜ୍ୟ ସରକାର ୧୯୫୬ ମସିହାରେ ଗଠନ କରିଥିବା ଅର୍ଥନିଗମ ବନ୍ଦ ହେବାକୁ ଯାଉଛି । ସେପଟେ ଅର୍ଥନିଗମ ତରଫରୁ ଦିଆଯାଇଥିବା ଋଣ କର୍ମଚାରୀ ଅଭାବରୁ ଆଦାୟ ହୋଇପାରୁନି । ଫଳରେ ରାଜ୍ୟ ସରକାର ପାଖାପାଖି ୭ ହଜାର କୋଟି ଟଙ୍କା ହରାଇବା ଏକ ପ୍ରକାର ନିଶ୍ଚିତ ହେବାରେ ଲାଗିଛି । ଓଏସଏଫସି ପାଖରେ ଏବେ ବି ୮ ହଜାର ୨ଶହ ଲୋନ ଆକାଉଣ୍ଟ ସକ୍ରିୟ ରହିଛି । ଯେଉଁ ଆକାଉଣ୍ଟ ଜରିଆରେ ରାଜ୍ୟ ସରକାର ପାଖାପାଖି ୨୫୦ କୋଟି ଟଙ୍କା ଋଣ ପ୍ରଦାନ କରିଛନ୍ତି । ଏହି ମୂଳ ଟଙ୍କା ଓ ତାର ସୁଧ ମିଶିଲେ ପାଖାପାଖି ୨ ହଜାର କୋଟି ଟଙ୍କା ଟପିଯିବ । ହେଲେ ଏହି ଋଣ ଆଦାୟ କରିବାକୁ ଯେଉଁ କର୍ମଚାରୀଙ୍କର ଆବଶ୍ୟକତା ରହିଛି ତାହା ଏବେ ବିଭାଗ ପାଖରେ ନାହିଁ । ରାଜ୍ୟ ସରକାରଙ୍କର ଏତେବଡ଼ ସଂସ୍ଥା ଚାଲିଥିବା ବେଳେ ଏବେ ସାରା ରାଜ୍ୟରେ ମାତ୍ର ୧୧ ଜଣ ସ୍ଥାୟୀ କର୍ମଚାରୀ କାମ କରୁଛନ୍ତି ।  ସେମାନଙ୍କ ମଧ୍ୟରୁ ଓଏମପି ଛକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଜଣେ ଡ୍ରାଇଭରଙ୍କୁ ମିଶାଇ ୫ ଜଣ କର୍ମଚାରୀ ରହିଛି । ସେହିଭଳି ଶାଖା କାର୍ଯ୍ୟାଳୟ ମଧ୍ୟରେ ସମ୍ବଲପୁରରେ ଜଣେ, ଭୁବନେଶ୍ୱରରେ ୨ ଜଣ ଓ କଟକରେ ୩ ଜଣ ସ୍ଥାୟୀ କର୍ମଚାରୀ ଅଛନ୍ତି ।

Advertisment

ଗୋଟିଏ ସମୟରେ ସାରା ଓଡ଼ିଶାରେ ନିଗମର ଶାଖା ସଂଖ୍ୟା ୧୭ ଥିବା ବେଳେ ୧୦୦୭ ଜଣ ସ୍ଥାୟୀ କର୍ମଚାରୀ କାମ କରୁଥିଲେ । ହେଲେ ରାଜ୍ୟ ସରକାର ଏକ ନିଷ୍ପତ୍ତି କ୍ରମରେ ୨୦୦୫ ମସିହାରେ ଏକାସାଙ୍ଗରେ ୬୦୭ ଜଣ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ଏହାପରେ କର୍ମଚାରୀଙ୍କ ସଂଖ୍ୟା ୪୦୦କୁ ଖସିଆସିଥିଲା । ସେହିଭଳି ୧୭ ଟି ଶାଖାରୁ ଏବେ ମାତ୍ର ୩ ଟି ଶାଖା କାର୍ଯ୍ୟକ୍ଷମ ରହିଛି । ଏହି ବିଭାଗରେ ୧୯୯୦ ମସିହା ପରେ ଆଉ ନୂଆ ନିଯୁକ୍ତି ହୋଇନାହିଁ । ଏବେ କେବଳ ଯେଉଁ ୧୧ ଜଣ କର୍ମଚାରୀ ଅଛନ୍ତି ସେମାନେ ଅବସରକୁ ଅପେକ୍ଷା କରିଛନ୍ତି । 

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କର୍ମଚାରୀମାନେ ଏବେ ପଞ୍ଚମ ବେତନ ଆୟୋଗର ସୁପାରିଶ ଆଧାରରେ ଦରମା ପାଉଛନ୍ତି, ତେଣୁ ଏହି ଅର୍ଥ ବିଭାଗର କର୍ମଚାରୀଙ୍କ ପାଇଁ ପେନସନ୍ ସୁବିଧା ନାହିଁ । କେବଳ ଜଣେ କର୍ମଚାରୀଙ୍କୁ ଛାଡିଦେଲେ ୨୦୨୭ ସୁଦ୍ଧା କାର୍ଯ୍ୟରତ ଅନ୍ୟ ସମସ୍ତ କର୍ମଚାରୀ ଅବସର ନେଇଯିବେ । ୨୦୦୪-୦୫ ଠାରୁ ଏହି ବିଭାଗରେ ନୂଆ ନିଯୁକ୍ତି ହୋଇ ନଥିବା ବେଳେ କେବଳ ଋଣ ଆଦାୟ ପାଇଁ ସରକାରଙ୍କ ଦ୍ୱାରା ଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଓଏଫଏସସିର ପରିଚାଳନା ନିର୍ଦ୍ଦେଶକ ଓ ଜଣେ ଅତିରିକ୍ତ ନିର୍ଦ୍ଦେଶକଙ୍କୁ ମହାପ୍ରବନ୍ଧକ ଭାବେ ଆତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ହେଲେ ଏହି କର୍ମଚାରୀଙ୍କ ଆନ୍ତରିକତା ଅଭାବ, ଓ କର୍ମଚାରୀ ଅଭାବ କାରଣରୁ ପ୍ରଦତ୍ତ ଋଣ ଅସୁଲ କରିବା କଷ୍ଟକର ହେଉଛି । ଶିଳ୍ପ ନିର୍ଦ୍ଦେଶାଳୟର କିଛି ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଗମର ଅକାଉଣ୍ଟାସ ସମ୍ଭାଳିବା ପାଇଁ ରଖାଯାଇଛି । 

ଅନ୍ୟପଟେ ଋଣ ସଂକ୍ରାନ୍ତରେ ୧୦୦ ରୁ ଅଧିକ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । କିନ୍ତୁ ବିଭାଗ ତରଫରୁ ଓକିଲ ନିଯୁକ୍ତ କରାଯାଉନଥିବାରୁ ମାମଲାଗୁଡିକରେ ସଫଳତା ମଳିବା ଆଶା କମ ରହିଛି । ସେପଟେ ଶିଳ୍ପ ପାଇଁ ଯେଉଁ ସମ୍ପତ୍ତି ବନ୍ଧକ ରଖି ଋଣ ପ୍ରଦାନ କରାଯାଇଥିଲା ସେ ସମ୍ପତ୍ତିର କିଛି ସତ୍ତା ନାହିଁ । ଏହି ବିଭାଗର ରାଜ୍ୟର କିଛି ରାଜନୈତିକ ବ୍ୟକ୍ତି କୋଟି କୋଟି ଟଙ୍କା ଋଣ ନେଇଥିଲେ ମଧ୍ୟ ସେମାନେ ଋଣ ଅର୍ଥ ପୈଠ କରିନଥିବା ଜଣାପଡିଛି । ଏହାସହ ରାଜ୍ୟର ୧୦ ଟି ସ୍ଥାନରେ ନିଗରମ ନିଜସ୍ୱ ମୂଲ୍ୟବାନ ସମ୍ପତ୍ତି ରହିଛି । ହେଲେ ଏହା ଉପରେ ବିଭାଗ ନଜର ଦେଉନଥିବ।।ରୁ କେଉଁଠି ରେକର୍ଡ ହଜିଗଲାଣି ତ କେଉଁଠି ଜମିକୁ ଅନ୍ୟମାନେ ଦଖଲ କରିଗଲେଣି । ଏହା ସହ କାର୍ଯ୍ୟାଳୟରେ ପୁରୁଣା ଗାଡ଼ିଗୁଡ଼ିକ ପଡି ପଡି ନଷ୍ଟ ହୋଇଗଲାଣି । ବର୍ତ୍ତମାନ ସରକାର ଏହାର ପୁନରୁଦ୍ଧାର କରିବାକୁ କର୍ମଚାରୀମାନେ ଆଶା ରଖିଛନ୍ତି ।