କନକ ବ୍ୟୁରୋ : ରାଜ୍ୟପାଳ ପରାମର୍ଶ ଦେଲେ, ସରକାର ସହମତି ଜଣାଇଲେ । ୨୦୨୬ରେ ପଞ୍ଚାୟତର ହେବ ପୁନର୍ଗଠନ । ଲୋକଙ୍କୁ ସହଜରେ ମିଳିବ ସରକାରୀ ସୁବିଧା । ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତିକୁ ନେଇ କଟାକ୍ଷ ବାଣ ମାରିଛନ୍ତି ବିରୋଧୀ । ତୃଣମୂଳସ୍ତରରେ ପହଞ୍ଚିବ ସରକାରୀ ଯୋଜନା । ପଞ୍ଚାୟତସ୍ତରରେ ଜଣିଏ ବି ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେବେନି । ଏହି ଲକ୍ଷ୍ୟକୁ ପୂରା କରିବାକୁ ପଞ୍ଚାୟତ ସଂଖ୍ୟା ବୃଦ୍ଧି ଫର୍ମୁଲା ଦେଇଥିଲେ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି । ରାଜ୍ୟପାଳଙ୍କ ପରାମର୍ଶକୁ ରାଜ୍ୟ ସରକାର ଗ୍ରହଣ କରିବା ସହ ସମ୍ମତି ଜଣାଇଛନ୍ତି । ୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆସନ୍ତା ୨୦୨୬ରେ ପଞ୍ଚାୟତ ପୁନର୍ଗଠନ ହେବ । ରାଜ୍ୟପାଳଙ୍କ ସହ ବୈଠକ ପରେ ଏନେଇ ସବୁଜ ସଂକେତ ଦେଇଛନ୍ତି ସରକାର । କେବଳ ପଞ୍ଚାୟତ ନୁହେଁ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ । 

Advertisment

ସରକାର ପଞ୍ଚାୟତ ପୁନର୍ଗଠନ ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ଖାଲି ପଡ଼ିଥିବା ପଞ୍ଚାୟତ ଆସନରେ କାହିଁକି ନିର୍ବାଚନ ହେଉନି ବୋଲି କହି ଘେରିଛି ବିଜେଡି । ପଞ୍ଚାୟତରାଜ ବ୍ୟବସ୍ଥାକୁ ଧ୍ବଂସ କରିଦେବେ ସରକାର । ହାରିବା ଭୟରେ ନିର୍ବାଚନ କରୁନାହାନ୍ତି ବୋଲି କହି ବିଜେଡି ସହ ସ୍ବର ମିଳାଇଛି କଂଗ୍ରେସ।  ଜବାବ ରଖି ବିଜେପି କହିଛି, ଖାଲି ପଡ଼ିଥିବା ଆସନରେ ନିର୍ବାଚନ ହେବ । ଏଥିପାଇଁ ସରକାର ଯତ୍ନବାନ ଅଛନ୍ତି । ଏବେ ଓଡ଼ିଶାରେ ୬୮୦୧ଟି ଗ୍ରାମ ପଞ୍ଚାୟତ ରହିଛି। ଆଗକୁ ପଞ୍ଚାୟତ ପୁନର୍ଗଠନ ପରେ ରାଜ୍ୟରେ କେତେ ସଂଖ୍ୟକ ନୂଆ ପଞ୍ଚାୟତ ସୃଷ୍ଟି ହେବ? ତାହା ଉପରେ ନଜର ରହିବ ।