କନକ ବ୍ୟୁରୋ: ଜାତୀୟ ପ୍ରକଳ୍ପର ମାନ୍ୟତା ପାଇଥିବା ପୋଲାଭରମର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ହେଲେ ପଡ଼ୋଶୀର ଏହି ପ୍ରକଳ୍ପ ଫଳରେ ଓଡ଼ିଶାରେ କଣ ପ୍ରଭାବ ପଡ଼ିବ ତାକୁ ନେଇ ଅନ୍ଧାରରେ ରାଜ୍ୟ ସରକାର। କାରଣ ପୋଲାଭରମରେ କେତେ ଅଞ୍ଚଳ ବିସ୍ଥାପିତ ହେବ, ପ୍ରକଳ୍ପର ଜଳସ୍ତର କେତେ ରହିବ, କେତେ ଚାଷ ଜମି ପ୍ରଭାବିତ ହେବ ଏହାର ସଠିକ୍ ଆକଳନ ଏଯାଏଁ ସରିନଥିବା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ଏପଟେ ବିଶେଷଜ୍ଞ କହିଛନ୍ତି...
- ପୋଲାଭରମ ପ୍ରକଳ୍ପ ହେଲେ ପ୍ରାୟ ୧୦ ହଜାର ହେକ୍ଟର ଜମି ଜଳମଗ୍ନ ହେବ
- କେବଳ ମାଲକାନଗିରି ଜିଲ୍ଲାରେ ୨ ହଜାର ୧୧୯ ହେକ୍ଟର ଜମି ଜଳମଗ୍ନ ହେବ
- ପ୍ରାୟ ୩୧ଟି ଗାଁର ୧୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହେବେ
- ପ୍ରାୟ ୭୦ ପ୍ରତିଶତ ଆଦିବାସୀ ଜନବସତି ପ୍ରଭାବିତ ହେବ
- ମୋଟୁଠାରୁ ପଡ଼ିଆ ବ୍ଲକ୍ ଯାଏଁ ଏହାର ବ୍ୟାପକ ପ୍ରଭାବ ପଡ଼ିବ
ଏପଟେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ତଥ୍ୟକୁ ନେଇ ତେଜିଛି ରାଜନୀତି। ପୂର୍ବ ଓ ବର୍ତ୍ତମାନ ସରକାରଙ୍କ ଅବହେଳା ପାଇଁ ସରକାରଙ୍କ ପାଖରେ ତଥ୍ୟ ନଥିବା କହି ବର୍ଷିଛି କଂଗ୍ରେସ। ଏହାକୁ ଟ୍ରିପଲ ଇଞ୍ଜିନ ସରକାରଙ୍କ ବିଫଳତା ବୋଲି କହିଛି ବିଜେଡି। ଏପରିକି ଆଗାମୀ ଦିନରେ ରାଜ୍ୟର ସ୍ବାର୍ଥ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନର ଚେତାବନୀ ଦେଇଛି । ବିଜେପି କିନ୍ତୁ ୨୪ ବର୍ଷ ସରକାରଙ୍କ ପାପର ଫଳ କହି ନିଜ ଉପରୁ ଦୋଷ ଛାଡ଼ି ଦେଇଛି।
ବିରୋଧୀ ଆସନରେ ଥିଲାବେଳେ, ପ୍ରକଳ୍ପ ଫଳରେ କ୍ଷୟକ୍ଷତି ନେଇ କେନ୍ଦ୍ରକୁ ରାଜ୍ୟ ସରକାର ତଥ୍ୟ ଦେଇନଥିବା କହି ପୂର୍ବ ବିଜେଡି ସରକାରକୁ ଘେରୁଥିଲା ବିଜେପି। ଏବେ ସରକାରକୁ ଆସିବାର ୧୦ ମାସ ପରେ ଏ ସଂପର୍କିତ ତଥ୍ୟ ମୋହନ ସରକାରଙ୍କ ପାଖରେ ନରହିବା ସମସ୍ତଙ୍କୁ ଚକିତ କରିଛି ।