କନକ ବ୍ୟୁରୋ: ଖୁବଶୀଘ୍ର ଭାରତରେ ଲଞ୍ଚ୍‌ ହେବ ଏଲନ ମସ୍କଙ୍କ ଷ୍ଟାର୍‌ଲିଙ୍କ୍‌ ସାଟେଲାଇଟ୍‌ ଓ ବ୍ରଡ୍‌ବ୍ୟାଣ୍ଡ୍‌ ସର୍ଭିସ୍‌ । ଏମିତି ହେଲେ ୟୁଜର୍ସ ବିନା କୌଣସି ଝଞ୍ଜଟରେ ଇଣ୍ଟରନେଟ୍‌ କନେକ୍ଟିଭିଟିର ମଜା ନେଇ ପାରିବେ । ଏକ ରିପୋର୍ଟ ମୁତାବକ ଷ୍ଟାର୍‌ଲିଙ୍କ୍‌ ସର୍ଭିସ୍ ଲଞ୍ଚ୍‌ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇ ସାରିଛନ୍ତି । କିନ୍ତୁ ଏହାକୁ ନେଇ ଏଯାଏଁ ଷ୍ଟାର୍‌ଲିଙ୍କ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଏବେ ଟେଲିକମ୍ ରେଗୁଲେଟର୍ସ ଷ୍ଟାର୍‌ଲିଙ୍କ୍‌କୁ ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ପ୍ରସ୍ତୁତି କରୁଛି । ଏହି ସର୍ଭିସ୍ ଲଞ୍ଚ୍‌ ହେଲେ ଉପାନ୍ତ ଓ ପାହାଡ଼ିଆ ଅଞ୍ଚଳରେ ଆଉ ନେଟ୍‌ୱାର୍କ ସମସ୍ୟା ରହିବନି ।  

Advertisment

ଗତ ବର୍ଷ ଡିସେମ୍ବର ୧୫ ତାରିଖରେ ଭାରତରେ ଷ୍ଟାର୍‌ଲିଙ୍କ୍‌ର ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ସୁପାରିଶ ହୋଇଥିଲା । ଏହାପରେ ଭାରତରେ ଏହି ସାଟେଲାଇଟ୍‌ ବ୍ରଡବ୍ୟାଣ୍ଡ୍‌ ସର୍ଭିସ୍ ଲଞ୍ଚ୍‌ କରିବାକୁ ଜୋରସୋର୍‌ରେ ପ୍ରସ୍ତୁତି କରାଯାଉଛି । ଏହା ଲଞ୍ଚ୍‌ ହେଲେ ଭାରତରେ ସାଟାଲାଇଟ୍‌ ମାଧ୍ୟମରେ ଇଣ୍ଟରନେଟ୍‌ ସୁବିଧା ପାଇ ପାରିବେ ଲୋକେ । ତା ସହିତ ବିନା ନେଟ୍‌ୱାର୍କରେ ବି କଲ୍‌ କରିବା ସମ୍ଭବପର ହୋଇ ପାରିବ ।  ଏହା ସମ୍ଭବ ହେଲେ ଏବେ ସବୁଠାରୁ ଅଧିକ କ୍ଷତି ସହିବେ ଜିଓ ଏୟାରଟେଲ୍ ଭଳି ଟେଲିକମ୍ କମ୍ପାନୀ । ଗତ ୨୦୨୨ରେ ଭାରତରେ ସର୍ଭିସ ଯୋଗାଇ ଦେବାକୁ ଆବେଦନ କରିଥିଲା ଷ୍ଟାର୍‌ଲିଙ୍କ୍‌ । ଜୈବବିବିଧତାର ଦେଶ ଭାରତରେ ଏଲନମସ୍କଙ୍କ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ସୁବିଧା ମିଳିଲେ, ଇଣ୍ଟରନେଟ୍‌ କ୍ଷେତ୍ରରେ ଏକ ବିପ୍ଲବ ଆସିବ । ଏଥିରେ କୌଣସି ସନ୍ଦେହ ନାହିଁ । 

ଏହା ପୂର୍ବରୁ ଆମେରିକା ଓ ଇୟୁରୋପୀୟ ଦେଶଗୁଡ଼ିକରେ ଷ୍ଟାର୍‌ଲିଙ୍କ୍‌ ତାର ସର୍ଭିସ ଯୋଗାଇ ଦେଇ ଆସୁଛି । ମିଡିଆ ରିପୋର୍ଟ ମୁତାବକ ଖୁବଶୀଘ୍ର ଭାରତରେ ମଧ୍ୟ ଷ୍ଟାର୍‌ଲିଙ୍କ୍‌ ସର୍ଭିସ ଆରମ୍ଭ ହେବାକୁ ଯାଉଛି । ଏହା ସମ୍ଭବ ହେଲେ ଏହାର ସିଧା ପ୍ରଭାବ ଜିଓ, ଏୟାରଟେଲ୍‌ ଉପରେ ପଡ଼ିବ । କାରଣ ବର୍ତ୍ତମାନ ଏହି ଦୁଇ ଟେଲିକମ୍ କମ୍ପାନୀ ଭାରତର ଇଣ୍ଚରନେଟ୍‌ ଜଗତରେ ରାଜ୍ କରୁଛନ୍ତି । 

ହେଲେ ଷ୍ଟାର୍‌ଲିଙ୍କ୍‌ ଭାରତର ଇଣ୍ଟରନେଟ୍‌ ଦୁନିଆରେ ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ । ସବୁଠାରୁ ବଡ଼ କଥା ହେଲା ଏଥିପାଇଁ ୟୁଜର୍ସଙ୍କୁ କୌଣସି ନୂଆ ଇଲୋକ୍ଟ୍ରୋନିକ୍ସ ଡିଭାଇସ୍‌ କିଣିବାର ଆବଶ୍ୟକତା ନାହିଁ । ବର୍ତ୍ତମାନ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍‌ରେ ବି ଏହା କାମ କରିବ ।

ଷ୍ଟାର୍‌ଲିଙ୍କ୍‌କୁ ସ୍ପେକ୍ଟ୍ରମ ଆବଣ୍ଟନ ନେଇ ଅନ୍ତିମ ନିଷ୍ପତ୍ତି ୨୦୨୫ ସୁଦ୍ଧା ନିଆଯିବ । ଏହାକୁ ନେଇ କେନ୍ଦ୍ର ଦୂର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି । ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ ହିଁ ଷ୍ଟାର୍‌ଲିଙ୍କ୍‌ ସର୍ଭିସ ଭାରତରେ କେବେ ଆରମ୍ଭ ହେବ ତାହାକୁ ନେଇ ସୂଚନା ମିଳି ପାରିବ ।