Indian jawan Photograph: (google)
କନକ ବ୍ୟୁରୋ : ଅସୁବିଧାରେ ଥିବା ପଡୋଶୀ ଦେଶକୁ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଏ ଭାରତ । ଏହାର ଆଉ ଏକ ଉଦାହରଣ ପୁଣି ଥରେ ଦେଖିବାକୁ ମିଳିଛି, ବାତ୍ୟା ଡିଟୱା ପରେ ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଭାରତ ନିଜର ହାତ ବଢାଇଛି । ବାତ୍ୟା ପ୍ରଭାବିତ ଶ୍ରୀଲଙ୍କା ପାଇଁ 'ଅପରେସନ୍ ସାଗର ବନ୍ଧୁ' ଅଧୀନରେ ଭାରତ ମାନବୀୟ ସହାୟତା ବୃଦ୍ଧି କରିଛି । ବାତ୍ୟା ଡିଟୱା ପରେ ଭାରତୀୟ ସ୍ଥଳସେନା, ବାୟୁସେନା ଏବଂ ନୌସେନା ମିଳିତ ଭାବେ ଶ୍ରୀଲଙ୍କାରେ ଜନଜୀବନକୁ ସ୍ୱାଭାବିକ କରିବାରେ ଲାଗି ପଡ଼ିଛନ୍ତି ।
ଭାରତ ପକ୍ଷରୁ ପଡ଼ୋଶୀ ଆଗ ଏବଂ 'ବସୁଧୈବ କୁଟୁମ୍ବକମ୍'ର ଅତୁଟ ପ୍ରତିବଦ୍ଧତା ପୁଣି ଥରେ ଦେଖିବାକୁ ମିଳିଛି । ବାୟୁସେନାର ହେଲିକପ୍ଟର ବନ୍ୟାରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ଲାଗିଥିବା ବେଳେ ସେନା ଏବଂ ନୌସେନା ମିଳିତ ଭାବେ ଇଞ୍ଜିନିୟରିଂ, ଚିକିତ୍ସା ଏବଂ ରିଲିଫ କାର୍ଯ୍ୟକୁ ଆଗକୁ ବଢାଉଛନ୍ତି ।
ଆହୁରି ପଢ଼ନ୍ତୁ : ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା; ବିଲ୍ ଆଣୁଛନ୍ତି ରାଜ୍ୟ ସରକାର
ସେନାର ଇଞ୍ଜିନିୟର ଟାସ୍କ ଫୋର୍ସ ମଧ୍ୟ ନିୟୋଜିତ
ସେନାର ଇଞ୍ଜିନିୟର ଟାସ୍କ ଫୋର୍ସ ଶ୍ରୀଲଙ୍କାର ରୋଡ୍ ଡେଭଲପମେଣ୍ଟ ଅଥରିଟି ସହିତ ମିଶି ଜାଫନାରେ କ୍ଷତିଗ୍ରସ୍ତ ପୁଲିୟାମପୋକ୍କନୈ ପୋଲର ଡି-ଲଞ୍ଚିଂ ଏବଂ ପୁନଃନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହାକୁ ୧୦ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଏବଂ ଶନିବାର ମଧ୍ୟାହ୍ନ ସୁଦ୍ଧା ପ୍ରଥମ ଅସ୍ଥାୟୀ ପୋଲ କାର୍ଯ୍ୟକ୍ଷମ କରିବାକୁ ଯୋଜନା ରହିଛି । ଜାଫନାରେ ୧୨୦ ଫୁଟ ବିଶିଷ୍ଟ ଡବଲ୍ ଲେନ୍ ପୋଲ ନିର୍ମାଣ ପାଇଁ ୭୦% ସାମଗ୍ରୀ ଘଟଣାସ୍ଥଳରେ ପହଞ୍ଚି ସାରିଛି ଏବଂ ବାକି ସାମଗ୍ରୀ ମଧ୍ୟ ବୁଧବାର ସନ୍ଧ୍ୟା ସୁଦ୍ଧା ପହଞ୍ଚିଯିବ । ଚିଲାୱରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପିୟର୍ ନିର୍ମାଣ କାମ ଆରମ୍ଭ ହେବାର ସମ୍ଭାବନା ରହିଛି, ଯେଉଁଠାରେ ଏକ ସମ୍ପୂର୍ଣ୍ଣ ବେଲି ବ୍ରିଜ୍ ସେଟ୍ ପହଞ୍ଚି ସାରିଛି ଏବଂ ଚତୁର୍ଥ ସେଟ୍ ଲୋଡିଂ ହୋଇ ପଠାନକୋଟରୁ ଖୁବଶୀଘ୍ର ଶ୍ରୀଲଙ୍କାରେ ପହଞ୍ଚିବ।
ବାତ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଧୁନିକ ସ୍ୱଦେଶୀ ଜ୍ଞାନକୌଶଳ ଯୁକ୍ତ ଡ୍ରୋନ୍, ସୋନାର-ଆଧାରିତ LRFs ଏବଂ UGVs ର ବ୍ୟବହାର ଉଭୟ ସ୍ଥାନରେ ସର୍ବେକ୍ଷଣ ପାଇଁ କରାଯାଉଛି, ଯାହାଦ୍ୱାରା ଅପରେସନ୍ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଏହି ସମୟ ମଧ୍ୟରେ ସେଠାରେ ସ୍ଥାପିତ ପାରା ଫିଲ୍ଡ ହସ୍ପିଟାଲ ଏପର୍ଯ୍ୟନ୍ତ ୩,୩୩୮ ରୋଗୀଙ୍କ ଚିକିତ୍ସା କରିସାରିଛି । କେବଳ ୦୮ ଡିସେମ୍ବର ଦିନ ୧,୧୨୮ ରୋଗୀଙ୍କୁ ଚିକିତ୍ସା କରାଯାଇଛି, ଯେଉଁଥିରେ ୭୩ ଟି ଛୋଟ ଏବଂ ୪ ଟି ବଡ଼ ଅପରେସନ୍ କରାଯାଇଛି, ଯାହା ସ୍ଥାନୀୟ ଲୋକଙ୍କ ଠାରୁ ବେଶ୍ ପ୍ରଶଂସା ସାଉଁଟୁଛି ।
ସେହିଭଳି ନୌସେନା ମାନବୀୟ ସହାୟତା ପହଞ୍ଚାଇବା ପାଇଁ ଆଇଏନଏସ ଘଡ଼ିଆଲ ସମେତ ଆଉ ଚାରୋଟି ଯୁଦ୍ଧପୋତ ମୁତୟନ କରିଛି । ଯେତେବେଳେ କି ବିମାନ ବାହକ ପୋତ ଆଇଏନଏସ ବିକ୍ରାନ୍ତ, ଆଇଏନଏସ ଉଦୟଗିରି ଏବଂ ଆଇଏନଏସ ସୁକନ୍ୟା ପୂର୍ବରୁ ହିଁ ରିଲିଫ ଏବଂ ହେଲି-ବର୍ନ ଅପରେସନ୍ରେ ନିୟୋଜିତ ଅଛନ୍ତି ।
ନୌସେନାର ତିନୋଟି ଲ୍ୟାଣ୍ଡିଂ କ୍ରାଫ୍ଟ ୟୁଟିଲିଟି ୭ ଡିସେମ୍ବରରେ କଲମ୍ବୋରେ ପହଞ୍ଚି ଆବଶ୍ୟକ ସାମଗ୍ରୀ ହସ୍ତାନ୍ତର କରିସାରିଛନ୍ତି । ଆଇଏନଏସ ଘଡ଼ିଆଲ ରିଲିଫ ସାମଗ୍ରୀ ନେଇ ତ୍ରିଙ୍କୋମାଲିରେ ପହଞ୍ଚି ସାରିଛି, ଯାହା ମାଧ୍ୟମରେ ମୋଟ୍ ପ୍ରାୟ ୧୦୦୦ ଟନ୍ ରିଲିଫ ସାମଗ୍ରୀ ଶ୍ରୀଲଙ୍କାକୁ ଯୋଗାଇ ଦିଆଯାଉଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସେଠାରେ ରିଲିଫ ଏବଂ ପୁନର୍ବାସ ପାଇଁ ଭାରତୀୟ ସେନାର ତିନି ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ସଠିକ୍ ସମୟରେ ସହାୟତା ଯୋଗୁଁ ଶ୍ରୀଲଙ୍କାରେ ଲୋକଙ୍କ ଜୀବନ ପୁଣି ଥରେ ସ୍ୱାଭାବିକ ଲାଗିଛି ।
Follow Us