କନକ ବ୍ୟୁରୋ : ବିଳମ୍ବିତ ରାତି ହୋଇଥଲେ ବି ଆଖିରେ ନଥିଲା ନିଦ । ମନରେ ଇଛା ଥିଲା କାଳିଆର ଚକାଆଖି ସହ ଆଖି ମିଶାଇ ମନର ଦୁଃଖ ବାଣ୍ଟିବାକୁ । ଏଥର ରତ୍ନବେଦୀରେ ନୁହେଁ, ରଥ ଉପରେ ଚତୂର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଚର୍ମଚକ୍ଷୁକୁ ସାର୍ଥକ କରିବାକୁ । ଏଭଳି କିଛି ଇଛା ଅଗଣିତ ଭକ୍ତଙ୍କୁ ଟାଣି ଆଣିଥିଲା ଶରଧାବାଲିକୁ । କିନ୍ତୁ ବିଡମ୍ବନାର ବିଷୟ ଶରଧାବାଲିରେ ଅବ୍ୟବସ୍ଥା ଯୋଗୁଁ ଚାଲିଗଲା ୩ଜୀବନ। 

Advertisment

ଆଡପ ବିଜେ ପୂର୍ବରୁ ରଥାଋଢ ଶ୍ରୀଜିଉ ମାନଙ୍କୁ ଦର୍ଶନ ପାଇଁ ଏକତ୍ରିତ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ୩ ରଥ ଆଗରେ ଜରି ପକାଇ ବସି ରହିଥିଲେ ଭକ୍ତ। ପହୁଡ଼ ଖୋଲିବା ପରେ ସମସ୍ତେ ଶ୍ରୀଜିଉ ମାନଙ୍କ ଦର୍ଶନ କରିଥାନ୍ତେ। ଠିକ୍ ଏହି ସମୟରେ ପ୍ରବଳ ଭିଡ଼ ଭିତରେ ଆରମ୍ଭ ହୋଇଥିଲା ଠେଲାପେଲା। ରଥ ଚାରିପଟେ କିଛି ପୁଲିସ କର୍ମଚାରୀ ଥିଲେ, ହେଲେ ଶୃଙ୍ଖଳିତ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଯିଏ ଯେମିତି ଜୀବନ ବଂଚାଇବାକୁ ସଂଘର୍ଷ କରିଥିଲେ। ଠେଲାପେଲାରେ କିଛି ଶ୍ରଦ୍ଧାଳୁ ତଳେ ପଡି ଯାଇଥିଲା। ସେମାନଙ୍କ ଉପରେ ଆଉ କିଛି ଶ୍ରଦ୍ଧାଳୁ ଚଢ଼ି ଯାଇଥିଲେ। ଯାହାଫଳରେ ସୃଷ୍ଟି ହୋଇଥିଲା ଭୟଙ୍କର ସ୍ଥିତି। ଆର୍ତ୍ତ ଚିତ୍କାର ଓ କାନ୍ଦବୋବାଳିରେ ଫାଟି ପଡିଥିଲା ପୂରା ଅଂଚଳ। 

ଦଳଚକଟାରେ ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ୨ ଜଣ ମହିଳା ରହିଛନ୍ତି । ନୟାଗଡ଼ର ବାସନ୍ତୀ ସାହୁ, ଭୁବନେଶ୍ବର ସହିଦନଗରର ପ୍ରେମକାନ୍ତ ମହାନ୍ତି ଏବଂ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାର ପ୍ରଭାତୀ ଦାସଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଗାଁରେ ଦେଖିବାକୁ ମିଳିଛି ଶୋକାକୂଳ ପରିବେଶ। ଠେଲାପେଲାରେ ଅନେକ ଭକ୍ତ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଦଳାଚକଟା ଘଟଣାକୁ ନେଇ ଦେଖିବାକୁ ମିଳିଛି ଜନ ଅସନ୍ତୋଷ । ପୁଲିସ ଓ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ଶ୍ରଦ୍ଧାଳୁ । ସୋସିଆଲ ମିଡିଆରେ ପୋଷ୍ଟ କରି ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ଅସୁବିଧା ଭୋଗିଥିବା ଭକ୍ତ । ପୁଲିସ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ଉଠିଛି ପ୍ରଶ୍ନ ।

ଶରଧାବାଲି ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ମୃତକଙ୍କ ପରିବାରବର୍ଗଙ୍କ ସହ ଫୋନରେ ଆଲୋଚନା କରିଛନ୍ତି ।