କନକ ବ୍ୟୁରୋ: ମୁମ୍ୱାଇର ବାନ୍ଦ୍ରା ଷ୍ଟେସନରେ ଦଳାଚକଟା । ଦୀପାବଳି ଭିଡ ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରିବାରୁ ଅଘଟଣ ଘଟିଛି । ବାନ୍ଦ୍ରାରୁ ଗୋରଖପୁର ଯାଉଥିବା ଷ୍ଟେସନରେ ଚଢିବା ପାଇଁ ଠେଲାପେଲା ଓ ଧସ୍ତାଧସ୍ତିରୁ ଦଳାଚକଟା ହୋଇଛି । ଏଥିରେ ୯ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରତର ଅଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅଘଟଣ ପାଇଁ ରେଳ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଯାତ୍ରୀ । 

Advertisment

ରେଳ ଧାରଣାରେ ପଡିଥିବା ଚପଲ, ଯୋତା, ପୋଷାକର ଛିଣ୍ଡା କନା କହୁଛି ଦଳାଚକଟାର ଭୟାବହତା । ଦୀପାବଳି ପାଇଁ ଘରକୁ ବାହାରିଥିବା ଲୋକଙ୍କ ପ୍ରବଳ ଭିଡ ଯୋଗୁଁ ଦଳାଚକଟା ହୋଇଛି । ରାତି ୨ଟାରୁ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଲୋକଙ୍କ ଭିଡ ଜମିଥିଲା । ରାତି ୨ଟା ୨୫ରେ ବାନ୍ଦ୍ରାରୁ ଗୋରଖପୁର ଯାଉଥିବା ଏକ୍ସପ୍ରେସ୍ ଟ୍ରେନ ଷ୍ଟେସନରେ ଲାଗିବା ପରେ ସ୍ଥିତି ଅସମ୍ଭାଳ ହୋଇଗଲା । ଟ୍ରେନରେ ଚଢିବାକୁ ଧସ୍ତାଧସ୍ତି, ଠେଲାପେଲାରୁ ଆରମ୍ଭ ହୋଇଥିଲା ଦଳାଚକଟା । ଏଥିରେ ୯ ଜଣ ଆହତ ହୋଇଛନ୍ତି, ସମସ୍ତଙ୍କୁ ଉଦ୍ଧାର କରାଯାଇ ବାନ୍ଦ୍ରାର ବାବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 
 
ବାନ୍ଦ୍ରା ଷ୍ଟେସନରେ ଛଟ ଓ ଦୀପାବଳୀ ପାଇଁ ଘରକୁ ବାହାରିଥିବା ଲୋକଙ୍କ ପ୍ରବଳ ଭିଡ ପୋଲିସର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ତେବେ ଦଳାଚକାଟା ସ୍ଥିତି ପାଇଁ ରେଳ ବିଭାଗକୁ ଦାୟୀ କରିଛନ୍ତି ଯାତ୍ରୀ । କହିଛନ୍ତି ରେଳ ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ କୌଣସି ବନ୍ଦୋବସ୍ତ କରାଯାଇନଥିବାରୁ ଅଘଟଣ ଘଟିଲା । ଛଟ ଓ ଦୀପାବଳୀ ପୂଜା ପାଇଁ ମୁମ୍ୱାଇରେ ରହୁଥିବା ୟୁପି ଓ ବିହାର ବାସିନ୍ଦା ଘରକୁ ବାହାରିଥିଲେ । କିଏ ଜାଣିଥିଲା ଷ୍ଟେସନରେ ଏମିତି ଅଘଟଣ ଘଟିବ । ସେପଟେ କେଉଁ କାରଣ ପାଇଁ ଦଳଚକଟା ହୋଇଥିଲା ସେନେଇ ଅଧିକ ତଦନ୍ତ ଚଳାଇଛନ୍ତି ରେଳବାଇ କର୍ତ୍ତୃପକ୍ଷ ।