କନକ ବ୍ୟୁରୋ : ସୀମା ପୁର୍ନଗଠନ । ଏହା କେବଳ ଏବେ ତାମିଲନାଡୁ ସରକାରଙ୍କ ପାଇଁ ନୁହେଁ ଦକ୍ଷିଣଭାରତ ରାଜ୍ୟପାଇଁ ବଡ ପ୍ରସଙ୍ଗ ପାଲଟିଛି । ଏହା ଭିତରେ ମଙ୍ଗଳବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କୁ ମାର୍ଚ୍ଚ ୨୬ ବୈଠକ ପାଇଁ ଡାକିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । କହିବାକୁ ଗଲେ ବିଜେପି ସରକାରଙ୍କ ବିରୋଧରେ ଅଣବିଜେପି ଶାସିତ ରାଜ୍ୟ ତଥା ବିରୋଧୀ ଦଳମାନଙ୍କୁ ଏକଜୁଟ କରିବାକୁ ଅଣ୍ଟାଭିଡିଛନ୍ତି ଷ୍ଟାଲିନ । ଅନ୍ୟପଟେ କେରଳ, ତେଲେଙ୍ଗାନା, ପୁଡ୍ଡୁଚେରୀ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ପଂଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚେନ୍ନାଇ ବୈଠକ ପାଇଁ ନିମନ୍ତ୍ରଣ ମିଳିଛି ।

Advertisment

ଲୋକସଭା ସୀମା ପୁନର୍ଗଠନ ଲୋକସଂଖ୍ୟା ଆଧାରରେ ହୁଏ । ଶେଷ ସୀମା ପୁନର୍ଗଠନ ୨୦୦୨ରେ ୧୯୭୧ ଜନସଂଖ୍ୟା ଆଧାରରେ ହୋଇଥିଲା । ଏଥିରେ ଲୋକସଭା ଆସନ ସଂଖ୍ୟା ୫୪୩ରେ ସୀମିତ ଥିଲା । ୧୯୭୩ ସୀମା ପୁନର୍ଗଠନ ସମୟର ଆସନ ସଂଖ୍ୟା ସେହି ୫୪୩ରେ ରହିଥିଲା। ଏବେ ୨୦୨୬ରେ ସୀମା ପୁନର୍ଗଠନ କରିବାକୁ ମୋଦୀ ସରକାର ସଜବାଜ ହେଲେଣି । ସ୍ବାଭାବିକ ଭାବେ ଏହା ଜନସଂଖ୍ୟା ଆଧାରରେ ହେବ । ଏହା ହେଲେ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳତା ପାଇଥିବା ଦକ୍ଷିଣଭାରତୀୟ ରାଜ୍ୟଗୁଡିକ କ୍ଷତିଗସ୍ତ ହେବା ସ୍ବାଭାବିକ । ଅନ୍ୟପକ୍ଷରେ ଅଧିକ ଜନସଂଖ୍ୟା ବିଶିଷ୍ଠ  ଉତରଭାରତୀୟ ରାଜ୍ୟଗୁଡିକର ଲୋକସଭା ଆସନ ସଂଖ୍ୟା ଯଥେଷ୍ଠ ସଂଖ୍ୟାରେ ବୃଦ୍ଧି ପାଇବ ଯାହାକୁ ହିଁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ବିରୋଧ କରୁଛନ୍ତି ।

୨୦୨୬ରେ ହେବାକୁ ଥିବା ସୀମା ପୁର୍ନଗଠନ ପ୍ରକିୟାକୁ ନେଇ ଚାଲିଥିବା ବିତର୍କ ଧିରେଧିରେ ଦକ୍ଷିଣ ରାଜ୍ୟଗୁଡିକ ଏକାଠି କଲାଣି । ସୀମା ପୁର୍ନଗଠନକୁ ନେଇ ଆରମ୍ଭ ହୋଇଥିବା ବିତର୍କରେ ଷ୍ଟାଲିନ,ବିଜେପି ବିରୋଧୀ ଶକ୍ତିମାନଙ୍କ ନେତୃତ୍ବ ନେବା ଏକପ୍ରକାର ସ୍ଥିର ହୋଇଗଲାଣି ।