କନକ ବ୍ୟୁରୋ: ବର୍ଷ ଫେବୃଆରୀ ମାସରେ ରାଜ୍ୟ ସରକାର ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିମନ୍ତେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମର ଆରମ୍ଭରେ ମଞ୍ଚ ପରିଚାଳନା କରୁଥିବା ପରିଚାଳିକା ସଂହିତା ପାଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠ କବି ପଢିବାରୁ ବିବାଦ ଆରମ୍ଭ ହୋଇଥିଲା। ତେବେ ଏହି ପରିଚାଳିକାଙ୍କୁ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ସରକାର ସର୍ବାଧିକ ଟଙ୍କା ଦେଇଥିବା ଜଣାପଡିଛି। 

Advertisment

ଫେବୃଆରୀ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନରେ ଶୁଭମ କୁମାର ବେହେରା, ସଂହିତା ପାଣି ଏବଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତେବେ ୩ ଜଣଙ୍କୁ ପ୍ରଦାନ କରାଯାଇଥିବା ପାଉଣାରେ ତାରତମ୍ୟ ରହିଥିବା ଦେଖାଯାଇଛି। ଶୁଭମଙ୍କୁ ୨୫ ହଜାର ଟଙ୍କା, ଶ୍ରୀନିବାସ ଘଟୁଆରୀଙ୍କୁ ୨୦ ହଜାର ଟଙ୍କା ପାରିଶ୍ରମିକ ମିଳିଥିବା ବେଳେ ସଂହିତା ପାଣିଙ୍କୁ ସରକାର ୯୫ ହଜାର ଟଙ୍କା ପାରିଶ୍ରମିକ ଦେଇଥିଲେ। 

ଶୁକ୍ରବାର ବିଧାୟକ ଲକ୍ଷ୍ମଣ ବାଗ୍ ପ୍ରଶ୍ନ କରିଥିଲେ କି ସରକାର ଏହି କାର୍ଯ୍ୟକ୍ରମରେ କେଉଁଠି ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାର ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାର ଉତ୍ତରରେ କହିଛନ୍ତି। ଏହି ସମ୍ମିଳନୀରେ କେବଳ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମୋଟ ୩୦ ଲକ୍ଷ ୬୦ ହଜାର ୧୬୦ ଟଙ୍କା ବ୍ୟୟ କରାଯାଇଥିଲା। ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠକବି କହି ବିବାଦ ଘେରରେ ଫସିଥିଲେ ଉପସ୍ଥାପିକା ସଂହିତା ପାଣି । ଏହାପରେ ଭିଡିଓ ଜାରି କରି ପ୍ରତିକ୍ରିୟା ରଖିଥିଲେ ଉପସ୍ଥାପିକା ସଂହିତା । ଏହା ଭୁଲରେ ପାଟିରୁ ଖସିଯାଇଥିଲା । ଉଦ୍ଦେଶ୍ୟମୂଳକ ନଥିଲା । ଆଉ ଏ ଭୁଲକୁ ମୁଁ ସ୍ୱୀକାର କରୁଛି ।