କନକ ବ୍ୟୁରୋ: ତତ୍କାଳୀନ ମୟୂରଭଞ୍ଜର ଏକ ବଡ଼ ମୂକସାକ୍ଷୀ ହେଉଛି ବାରିପଦା ଷ୍ଟାଡିୟମ। ବାରିପଦା ସହରର ମୁଖ୍ୟ ଭାଗରେ ଏକ ବିସ୍ତୃତ ଅଞ୍ଚଳ ବ୍ୟାପି ରହିଥିବା ଏହି ଷ୍ଟାଡିୟମରୁ ଅନେକ ପ୍ରତିଷ୍ଠିତ କ୍ରୀଡ଼ାବିତ୍ ଜନ୍ମନେଇଛନ୍ତି। ଏଠାରେ ଇଂଲଣ୍ଡର କରିନ୍ଥିଆନ୍ ଟିମ୍ ମଧ୍ୟ ଆସି ଫୁଟବଲ ମ୍ୟାଚ୍ ଖେଳିଥିବା ବେଳେ ଦୀର୍ଘ ବର୍ଷ ଧରି ଏଠାରେ ରଞ୍ଜିଟ୍ରଫି ମ୍ୟାଚ୍ ମଧ୍ୟ ହୋଇଛି। ଯୋଉଥିରେ ଅନେକ ଦିଗଜ୍ କ୍ରିକେଟ୍ ତାରକା ମାନେ ତାଙ୍କର ଖେଳ ପ୍ରଦର୍ଶନ କରିଥିବା ବେଳେ ଭାରତର ପୂର୍ବତନ କ୍ୟାପଟେନ୍ ମହେଦ୍ର ସିଂ ଧୋନି ମଧ୍ୟ ଏହି ପଡ଼ିଆରେ ଛକା ଚୌକା ମାରିଛନ୍ତି ।
କେବଳ ଧୋନି ନୁହଁନ୍ତି, ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସଙ୍କ ଭଳି ଅନ୍ତର୍ଜାତୀୟ କ୍ରିକେଟର ମଧ୍ୟ ମୂକସାକ୍ଷୀ ଅଛନ୍ତି । କିନ୍ତୁ ଶହେ ବର୍ଷର ଏହି ଷ୍ଟାଡିୟମ୍ ଏବେ ତା’ର ଅସ୍ତିତ୍ବ ବଞ୍ଚାଇବାକୁ ସଂଘର୍ଷ କରୁଛି । ଆମେ କହୁଛୁ ବାରିପଦା ଷ୍ଟାଡିୟମ୍ର କଥା । ତତ୍କାଳୀନ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ୧୯୧୮ରେ ଷ୍ଟାଡିୟମ୍ର ନିର୍ମାଣ କରିଥିଲେ । ତେବେ ମୟୂରଭଞ୍ଜ ଜିଲ୍ଲାର ମାନ୍ୟତା ପାଇବା ପରେ ୧୯୬୦ରେ ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟରେ ‘ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନ୍’ ନାମରେ ନାମିତ ହେଲା। ପ୍ରଥମେ ଏହାର ପରିଧି ୧୯ ଏକରରୁ ଅଧିକ ଥିବା ବେଳେ ଏବେ ୬ ଏକରରେ ସୀମିତ ରହିଛି। ଓଡ଼ିଶା ଅଲିମ୍ପିକ୍ସ ଆଫିଲିଟେଡ୍ର ବିଭିନ୍ନ ପ୍ରକାର ଖେଳ ହେଉଥିବା ବେଳେ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ଜିମ୍ର ମଧ୍ୟ ବ୍ୟବସ୍ଥା ରହିଛି।
ମୟୂରଭଞ୍ଜର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ବ୍ରଜ ସୁନ୍ଦର ଦାସଙ୍କ ଶିକ୍ଷା ଓ ମାର୍ଗଦର୍ଶନରେ ଜିଲ୍ଲାରେ ଫୁଟବଲ ଟିମ୍ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ୧୯୧୮ ମସିହାରୁ ୧୯୯୧ ମସିହା ପର୍ଯ୍ୟନ୍ତ, ଅର୍ଥାତ ଦୀର୍ଘ ୭୩ ବର୍ଷ ଧରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ମେମୋରିଆଲ ସର୍ବଭାରତୀୟ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିଲା। ଯେଉଁଥିରେ ଭାଗ ନେଉଥିଲେ ଦେଶର ନାମୀ ଫୁଟ୍ବଲ କ୍ଲବ। ପରେ ୧୯୬୦ରୁ ସାହାଣୀ କପ୍ ମଧ୍ୟ ଆରମ୍ଭ ହୋଇଥିଲା। ୩୦ ଦଶକରେ ଇଂଲଣ୍ଡର କରିନ୍ଥିଆନ୍ ଟିମ୍ ଆସି ମୟୂରଭଞ୍ଜ ସହିତ ଫୁଟବଲ ମ୍ୟାଚ୍ ଖେଳିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସେତେବେଳେ ମୟୂରଭଞ୍ଜର ଖେଳାଳିମାନେ ଖାଲିପାଦରେ ଖେଳି ଇଂଲଣ୍ଡର ଏହି ଟିମ୍କୁ ହରାଇଥିଲେ।
ଫୁଟ୍ବଲ ପରେ କ୍ରିକେଟ୍ ମ୍ୟାଚ୍ର ଆଗମନ ହେଲା। ଷ୍ଟାଡିୟମ୍ରେ ୧୦ଟି ରଣଜୀ ଟ୍ରଫି ମ୍ୟାଚ୍ର ଆୟୋଜନ ହୋଇଛି। ୨୦୦୧ରେ ଓଡ଼ିଶା ଓ ବିହାର ମଧ୍ୟରେ ରଣଜୀ ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚରେ ବିହାର ପକ୍ଷରୁ ଖେଳୁଥିବା ମହେନ୍ଦ୍ର ସିଂ ଧୋନି ୯୬ ରନ୍ର ଇନିଂସ ଖେଳିଥିଲେ। ଏହାବ୍ୟତୀତ ଦୀପ ଦାସଗୁପ୍ତା, ସବା କରିମ୍, ରୋହନ ଗାଭାସ୍କର, ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ମଧ୍ୟ ଖେଳିବାର ସୁଯୋଗ ପାଇଛନ୍ତି। ୨୦୦୧ରେ ଶେଷଥର ପାଇଁ ରଣଜୀ ମ୍ୟାଚ୍ ଖେଳାଯାଇଥିବା ବେଳେ ଏବେ ବିସିସିଆଇର କଠୋର ନିୟମାବଳୀ ପାଇଁ ବନ୍ଦ ହୋଇଯାଇଛି।
୧୦୭ ବର୍ଷ ତଳର ଏହି କିମ୍ବଦନ୍ତୀ ଷ୍ଟାଡିୟମ୍ ତା’ର ପୂର୍ବ ଗରିମାକୁ କିଛି ମାତ୍ରାରେ ହରାଇଛି। କିନ୍ତୁ ଷ୍ଟାଡିୟମର ସ୍ମୃତିକୁ ନିଜ ଲେଖନୀ ଦ୍ବାରା ସାଇତି ରଖିଛନ୍ତି ବାରିପଦାର ସୁନାମଧନ୍ୟ ଫୁଟ୍ବଲ ଖେଳାଳି ପରେଶ ଚନ୍ଦ୍ର ଦାସ। ବୟସର ଅପରାହ୍ନରେ ବି ‘ଫୁଟ୍ବଲ ଖେଳ ସଫଳତାର ରହସ୍ୟ’ ନାମରେ ଏକ ପୁସ୍ତକ ଲେଖି ସମସ୍ତଙ୍କୁ ଖେଳପ୍ରତି ଉତ୍ସାହିତ କରିଛନ୍ତି।
ତେବେ ଶହେ ବର୍ଷ ତଳେ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବାରିପଦା ଷ୍ଟାଡିୟମକୁ ତା’ର ପୂର୍ବ ଅସ୍ତିତ୍ବକୁ ଫେରାଇଆଣିବା ସହିତ ଏହାକୁ ଏକ ନୂଆ ପରିଚୟ ଦେବାକୁ ଦାବି କରିଛନ୍ତି ଜିଲ୍ଲାବାସୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/02/as-2025-09-02-10-43-38.jpg)