କନକ ବ୍ୟୁରୋ: ସରକାରୀ ବାବୁଙ୍କ ସୁନା ସଉକ। ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ପରେ ସାମ୍ନାକୁ ଆସିଛି ଏସଟିଏର ଯୁଗ୍ମ କମିଶର ପ୍ରଦୀପ ମହାନ୍ତିଙ୍କ ଆଖି ଖୋସିହେଲା ଭଳି ସମ୍ପତ୍ତି। ତଦନ୍ତ ଏବେ ବି ଜାରି ରହିଥିବା କହିଛି ଭିଜିଲାନ୍ସ। ଅନେକ ଦିନରୁ ସେ ଭିଜିଲାନ୍ସ ରାଡାରରେ ଥିଲେ। କୁହାଯାଉଛି ବିଜେଡି ସରକାର ସମୟରେ ପ୍ରଦୀପ ମହାନ୍ତିଙ୍କ ଶାସନକଳ ସହ ଭଲ ସମ୍ପର୍କ ଥିବାରୁ ଭିଜିଲାନ୍ସ ଛୁଇଁ ପାରୁନଥିଲା। ଅନେକ ବାର ଚଢ଼ାଉ କରିବାକୁ ଯୋଜନା ହୋଇଥିଲେ ବି ଅନୁମତି ମିଳୁନଥିଲା। ଶେଷରେ ଭିଜିଲାନ୍ସ ଜାଲରେ ଫସିଯାଇଛନ୍ତି ପ୍ରଦୀପ।
- ଲୁଟୁଥିଲେ, ସ୍ତ୍ରୀଙ୍କ ସଉକ ପୂରଣ କରୁଥିଲେ
- ସରକାରୀ ବାବୁଙ୍କ ପୁଳା ପୁଳା ସୁନା ଗହଣା
ଯେଉଁଠି ଆଖି ପକାଇଲେ ଖାଲି ସୁନା ଗହଣା। ସୁନା ଚୁଡ଼ି, କାନ ଫୁଲ, ମୁଦି ଓ ଭଳିକି ଭଳି ସୁନା ହାର । ଆମେରିକାନ ହାରରେ ଖଞ୍ଜା ହୋଇଛି ଦାମିକିଆ ରତ୍ନପଥର। ଆଖି ଝଲସିଲା ଭଳି ସୁନା ଅଳଙ୍କାର ସହ ରହିଛି ୩ଟି ସୁନା ବିସ୍କୁଟ । ପ୍ରତି ବିସ୍କୁଟର ଓଜନ ଶହେ ଗ୍ରାମ। ଏସବୁକୁ ଦେଖିଲେ ସନ୍ଦେହ ହେଉଛି ଯେ, ସ୍ତ୍ରୀଙ୍କ ସୁନା ସଉକ ପୂରଣ କରିବାକୁ ଦୁର୍ନୀତିରେ ବୁଡ଼ିଥିଲେ ବାବୁ ଜଣକ। ପତ୍ନୀଙ୍କ ପାଇଁ ସୁନା ଆଉ ନିଜ ପାଇଁ ବ୍ୟାଙ୍କ ବାଲାନ୍ସ ବଢାଇବାକୁ ବେଆଇନ ଭାବେ ଟଙ୍କା ଯୋଗାଡରେ ଲାଗିପଡିଥିଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବା ଏସଟିଏର ଯୁଗ୍ମ କମିଶର ପ୍ରଦୀପ ମହାନ୍ତି ।
ଭିଜିଲାନ୍ସ ଚଢାଉବେଳେ ଜବତ ହୋଇଛି ନଗତ ୧୫ ଲକ୍ଷ ଟଙ୍କା। ଘରର ବିଭିନ୍ନ ଆଲମାରୀରେ ଲକ୍ଷାଧିକ ଟଙ୍କା ଲୁଚାଇ ରଖିଥିଲେ ବାବୁ ଜଣକ। ଆଶ୍ଚର୍ଯ୍ୟର କଥା ହେଉଛି, ୨୬ଟି ଅଚଳ ୨ ହଜାର ଟଙ୍କିଆ ନୋଟ ବି ଜବତ ହୋଇଛି । ଏଥିରୁ ଜଣାପଡୁଛି ବାବୁଙ୍କ ଘରେ କେତେ ଟଙ୍କା, କେଉଁଠି ଅଛି ତାର ହିସାବ ବୋଧହୁଏ ବାବୁଙ୍କ ପାଖରେ ବି ନଥିଲା। ତେବେ ଏତେ ଟଙ୍କା ଗଣିବା ସହଜ ନହେବାରୁ ଟଙ୍କା ଗଣିବାକୁ ମେସିନ ବି ଆସିଛି।
ପରିବହନ ବିଭାଗର ବିଭିନ୍ନ ଉଚ୍ଚ ପଦପଦବୀରେ ଥାଇ ଏଭଳି ବେଆଇନ ସମ୍ପତ୍ତି ଠୁଳ କରିଛନ୍ତି ପ୍ରଦୀପ ମହାନ୍ତି।
- ଭୁବନେଶ୍ୱର ମୈତ୍ରୀ ବିହାରରେ ୨୪ଶହ ବର୍ଗଫୁଟ୍ର ୩ ମହଲା ଘର
- ଖୋର୍ଦ୍ଧା ଗୋବିନ୍ଦ ପ୍ରସାଦରେ ନିର୍ମାଣଧୀନ ୫ ମହଲା କୋଠା
- ଭୁବନେଶ୍ୱର ରଘୁନାଥପୁରରେ ୧ କୋଟି ଟଙ୍କାର ଫ୍ଲାଟ୍
- ନୟାଗଡରେ ୧୪ ଏକରର ଫାର୍ମ ହାଉସ
- ଭୁବନେଶ୍ୱର, ଖୋର୍ଦ୍ଧା, ରଣପୁର ଓ ନୟାଗଡ଼ରେ ୧୧ଟି ଦାମୀ ପ୍ଲଟ୍
- ୪ଟି ଚାରି ଚକିଆ ଓ ଗୋଟିଏ ବୁଲେଟ୍ ଗାଡ଼ି ବାବୁଙ୍କ ନାଁରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି
ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବା ଏସଟିଏର ଯୁଗ୍ମ କମିଶର ଭାବେ କାମ କରୁଛନ୍ତି ପ୍ରଦୀପ ମହାନ୍ତି। ପୂର୍ବରୁ ଭୁବନେଶ୍ୱରରେ ଆରଟିଓ ଥିଲେ । ପରିବହନ ବିଭାଗର ଅନେକ ନିଷ୍ପତ୍ତି ତାଙ୍କ ନିର୍ଦ୍ଦେଶରେ ଚାଲେ । ଆରଟିଓରୁ ଯୁଗ୍ମ କମିଶନର ହେବା ବାଟରେ ପ୍ରଦୀପ ଅନେକ ଦୁର୍ନୀତିରେ ଲିପ୍ତ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/03/06/R2pXe6txjDKeVeU6yRtZ.jpg)