କନକବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ଦୁଇଦିନ ତଳେ ଏନଡିଏରେ ଆସନ ବଣ୍ଟନ ସରିଥିବା ବେଳେ ଆଜି ମହାଗଠବନ୍ଧନ  ପକ୍ଷରୁ ଆସନ ବଣ୍ଟନ ଘୋଷଣା ହୋଇପାରେ  ।   ଏନେଇ ସହମତି ସୃଷ୍ଟି କରିବାକୁ ମହାଗଠ ବନ୍ଧନ ଅଂଶୀଦାର ଦଳଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।  କିନ୍ତୁ କୌଣସି ଫର୍ମୁଲା ଏପର୍ୟ୍ୟନ୍ତ ବାହାରି ପାରିନାହିଁ  ।  ଏହି କାରଣରୁ ମହାଗଠବନ୍ଧନରେ ଆସନ ବଣ୍ଟନରେ ବିଳମ୍ବ ହେଉଛି । 

Advertisment

 ମହାଗଠବନ୍ଧନର ଅଂଶୀଦାର ଆରଜେଡି, କଂଗ୍ରେସ, ମୁକେଶ ସାହାଣୀଙ୍କ ବିକଶିତ ଇନସାନ ପାର୍ଟି ଓ ବାମଦଳ ନେତାମାନେ ଘନଘନ ଆଲୋଚନା ଚଳାଇଛନ୍ତି ।  ରାହୁଲ ଗାନ୍ଧୀଙ୍କ ନୂଆଦିଲ୍ଲୀ ଘରେ ଆଲୋଚନା ହେଉଛି । ସେପଟେ ଏନଡିଏରେ ଆସନ ବଣ୍ଟନ ସିରିଥିଲେ ବି ଅସନ୍ତୋଷ ଥମିନାହିଁ । ଆସନ ସଂଖ୍ୟାକୁ ନେଇ କିଛି ଏନଡିଏ ଅଂଶୀଦାର ଦଳ ଆପତ୍ତି ଉଠାଉଥିବା ବେଳେ କିଏ କେଉଁ ଆସନରେ ଲଢ଼ିବେ, ସେନେଇ ଟଣାଓଟରା ଲାଗି ରହିଛି ।  

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ ବୈଠକ ଚାଲିଥିବା ବେଳେ ସାଂସଦ ଅଜୟ ମଣ୍ଡଳ ଜେଡିୟୁ ଛାଡ଼ିଛନ୍ତି। ବିହାରରେ ମୋଟ୍ ୨୪୩ ଆସନ ମଧ୍ୟରୁ ବିଜେପି ଓ ଜେଡିୟୁ ୧୦୧ ଲେଖାଏଁ ଆସନରେ ଲଢ଼ିବାକୁ ସ୍ଥିର ହୋଇଛି ।  ସେହିପରି ଲୋକଜନ ଶକ୍ତି ପାର୍ଟି- ରାମବିଳାସ ପାସୱାନ ୨୯, ରାଷ୍ଟ୍ରୀୟ ଲୋକମୋର୍ଚ୍ଚା- ଆରଏଲଏମ୍ ୬ ଏବଂ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ୬ ଆସନରେ ଲଢ଼ିବ ।  ପୂର୍ବରୁ ନୀତୀଶ କୁମାରଙ୍କ ଜେଡିୟୁ ବିଜେପିଠାରୁ ଅଧିକ ଆସନରେ ଲଢୁଥିଲା। ନୀତୀଶଙ୍କୁ କୁହାଯାଉଥିଲା ବିହାର ଏନିଜିଏର ବଡ଼ଭାଇ। ଏବେ ବିଜେପି ଓ ଜେଡିୟୁ ସମାନ ସମାନ ଆସନରେ ଲଢ଼ିବେ ।  ଏହି ଆସନ ବଣ୍ଟନ ଫର୍ମୁଲା ଓ କିଏ କେଉଁ ଆସନରେ ଲଢ଼ିବେ ସେନେଇ ଦ୍ୱନ୍ଦ୍ୱ ଓ ଅସନ୍ତୋଷ ଲାଗି ରହିଛି ।  ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ଅକ୍ଟୋବର ୧୭ ଶେଷ ତାରିଖ ଶେଷଦିନ ହୋଇଥିବାରୁ ତା’ପୂର୍ବରୁ  ଆସନ ବଣ୍ଟନ ପାଇଁ  ମାନସମନ୍ଥନ ଜାରି ରହିଛି ।