କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ବିରାଜମାନ ଶ୍ରୀବିଗ୍ରହମାନଙ୍କର ସ୍ୱତନ୍ତ୍ର ନୀତି 'ବନକଲାଗି' ବା ଶ୍ରୀମୁଖ ଶୃଙ୍ଗାର ପାଇଁ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ଭକ୍ତମାନଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥି ଅବସରରେ ମହାପ୍ରଭୁଙ୍କର ଏହି ଗୁପ୍ତ ସେବା ଅନୁଷ୍ଠିତ ହେବାକୁ ଥିବାରୁ ସାଧାରଣ ଦର୍ଶନ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

Advertisment

ଆହୁରି ପଢ଼ନ୍ତୁ: ହୋଲିରେ ଅଘଟଣ

ସୂଚନା ଅନୁଯାୟୀ, ଗୁରୁବାର ଦ୍ୱିତୀୟ ଭୋଗମଣ୍ଡପ ନୀତି ସମାପ୍ତ ହେବା ପରେ ଏହି ସ୍ୱତନ୍ତ୍ର ଗୁପ୍ତ ନୀତି ଆରମ୍ଭ ହେବ । ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ବନକଲାଗି କ’ଣ?

ଏହା ମହାପ୍ରଭୁଙ୍କର ଏକ ପ୍ରାକୃତିକ ପ୍ରସାଧନ ପ୍ରକ୍ରିୟା । ଦତ୍ତମହାପାତ୍ର ସେବାୟତମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ହରିତାଳ, ହିଙ୍ଗୁଳ, ଶଙ୍ଖ, କସ୍ତୁରୀ ଓ କଳା ଭଳି ପାରମ୍ପରିକ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି । ଏହି ନୀତି ଅତ୍ୟନ୍ତ ଗୁପ୍ତ ରଖାଯାଉଥିବାରୁ ଏହି ସମୟରେ ଜୟ-ବିଜୟ ଦ୍ୱାର ବନ୍ଦ ରହିବା ସହ ଦର୍ଶନ ସମ୍ପୂର୍ଣ୍ଣ ବାରଣ କରାଯାଇଥାଏ ।

ରାତି ୧୦ଟାରେ ବନକଲାଗି ନୀତି ଶେଷ ହେବା ପରେ ଏବଂ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ପୁନର୍ବାର ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ଆସନ୍ତାକାଲି ପୁରୀ ଆସୁଥିବା ଭକ୍ତମାନେ ଏହି ସମୟ ସୀମାକୁ ଧ୍ୟାନରେ ରଖି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯୋଜନା କରିବାକୁ ଅନୁରୋଧ କରାଯାଇଛି ।