କନକ ବ୍ୟୁରୋ: ଦୀର୍ଘ ଦିନ ହେବ ଚାଲିଥିଲେ ବି ଶ୍ରୀମନ୍ଦିରରେ ବାକି ଅଛି ଅନେକ ମରାମତି କାମ । ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ବି ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନି । ତେବେ ଆଗକୁ ଆସୁଥିବା ରଥଯାତ୍ରା ସମୟରେ ବାକି ଥିବା ମରାମତି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛି ଏଏସଆଇ ।
- ରଥଯାତ୍ରା ବେଳେ ହେବ ଶ୍ରୀମନ୍ଦିର ମରାମତି
- ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ ପରିସର
ରଥଯାତ୍ରା ପାଇଁ ସମୟରେ ଯୋଜନାବଦ୍ଧ ଭାବେ ଶ୍ରୀମନ୍ଦିରର ବିଭିନ୍ନ ବାକି କାମ ସାରିବାକୁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଏସବୁ ପ୍ରସଙ୍ଗରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଯଦୁବୀର ସିଂ ରାୱତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଲୋଚନା କରିଛନ୍ତି । ରଥଯାତ୍ରା ସମୟରେ ମୁଖ୍ୟ ମନ୍ଦିର ବାହ୍ୟ ପଥର ରାସାୟନିକ ସଫେଇ କରାଯିବ । ଶ୍ରୀମନ୍ଦିର ଗର୍ଭଗୃହର ସଂରକ୍ଷଣ ଓ ମରାମତି ହେବ । ବାକି ଥିବା ରତ୍ନଭଣ୍ଡାର ମରାମତି ମଧ୍ୟ ଏହି ଅବଧିରେ ହେବ । ଏହା ସହିତ ଉତ୍ତର ଦ୍ବାର ଦେଇ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ । ନାଟମଣ୍ଡପ ପରିସରକୁ ଶୀତତାପ ନିୟନ୍ତ୍ରିତ କରାଯିବ । ଜଗମୋହନର ବାହାର ପାଖ ଛାତର ମଧ୍ୟ ସଂରକ୍ଷଣ କରାଯିବ ।
ଖାଲି ଏତିକି ନୁହେଁ, ମା’ ବିମଳା, ମହାଲକ୍ଷ୍ମୀ, ଭୁବନେଶ୍ବରୀ, ନୃସିଂହ ଓ ସୂର୍ଯ୍ୟ ମନ୍ଦିରରେ ବିଜୁଳି ପ୍ରତିରୋଧକ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ । ଜଗମୋହନ ଓ ଭୋଗ ମଣ୍ଡପରେ ଷ୍ଟିଲ୍ ଖୁମ୍ବ ଦିଆଯାଇ ଚାଳି ପଥରକୁ ମଜଭୁତ କରାଯିବ । ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ କିଭଳି ମିଳିତ ଭାବେ ସମନ୍ବୟ ରଖି ସୁଚାରୁ ରୂପେ ଏହା ସମ୍ପନ୍ନ କରିବେ, ତା ଉପରେ ଉଭୟ ଏଏସଆଇ ଡିଜି ଓ ପରିଚାଳନା କମିଟି ସଦସ୍ୟ ଗୁରୁତ୍ୱ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ମରାମତି ନେଇ ଏତେସବୁ କାମ ବାକି ଥିବା ବେଳେ ହାତରେ ରହିଛି କମ ସମୟ । ତେଣୁ କିପରି ସବୁକିଛି ଠିକ ଠାକ ସମ୍ପନ୍ନ ହେବ, ତା ଉପରେ ନଜର ରହିବ ।