କନକ ବ୍ୟୁରୋ: ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା । ରଘୁନାଥପୁରରେ କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ । ରଘୁନାଥପୁର ସ୍ଥିତ ଶ୍ରୀଲିଙ୍ଗରାଜ ଇନଫୋସେଲ ଅନଲାଇନ ଏକଜାମ ସେଣ୍ଟରକୁ ସିଲ କଲା କ୍ରାଇମବ୍ରାଞ୍ଚ । ଏସଆଇ ମହାଘୋଟାଲାର ଅନ୍ୟତମ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କର ଏଠାରେ କାର୍ଯ୍ୟାଳୟ ରହିଥିଲା । 

Advertisment

ଶଙ୍କର ପୃଷ୍ଟି ଫେରାର ଥିବା ବେଳେ ତାଙ୍କ ସଂସ୍ଥା ଉପରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଶ୍ରୀଲିଙ୍ଗରାଜ ଇନଫୋସେଲର କାଗଜପତ୍ର ଜବତ କରିବା ସହ  ଡିଜିଟାଲ ପ୍ରମାଣ ସଂଗ୍ରହ ପାଇଁ କ୍ରାଇମବ୍ରାଞ୍ଚ ଉଦ୍ୟମ କରିବ । ସ୍ଥାନୀୟ ପୁଲିସଙ୍କ ଉପସ୍ଥିତିରେ ପୁଲିସ ସଂସ୍ଥାକୁ ସିଲ୍ କରିଛି । କିଛି ଏସଆଇ ପରୀକ୍ଷାର୍ଥୀଙ୍କୁ ଏଠାରେ ପ୍ରଶିକ୍ଷଣ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଏହି ଖବର ପାଇବା ପରେ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛି । 

ଏସଆଇ ପରୀକ୍ଷା କେଳେଙ୍କାରୀକୁ ନେଇ ରାଜନୀତି ତେଜିଛି । ଏସଆଇ ପରୀକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇ ତେରଛା ବାଣ ମାରି କହିଛନ୍ତି ଏ ସରକାର ଚାକିରି ଚୋର ସରକାର। ଦଲାଲଙ୍କୁ ଗିରଫ୍ କରି ସଂଖ୍ୟା ଦେଖାଉଛନ୍ତି ସରକାର, କିନ୍ତୁ ମାଷ୍ଟର ମାଇଣ୍ଡକୁ ଧରୁ ନାହାନ୍ତି । ପିସିସି ସଭାପତି ସମାଲୋଚନା କରି କହିଛନ୍ତି ବିଜେପିର ଓଡ଼ିଶାରେ ୬ ଜଣ ମୁଖ୍ୟମନ୍ତ୍ରୀ, ତେଣୁ ଏଭଳି ବ୍ୟବସ୍ଥା ଚାଲିଛି ।

ଏସଆଇ ପରୀକ୍ଷା ଦୁର୍ନୀତିର ସିବିଆଇ କିମ୍ୱା ନ୍ୟାୟିକ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି । ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଜେପି ବିଧାୟକ ବାବୁ ସିଂ । ସେ ସୁବ୍ରତ ଛାଟୋଇ ହୁଅନ୍ତୁ କି ଶଙ୍କର ପୃଷ୍ଟି କାହାରିକୁ ଛଡ଼ାଯିବ ନାହିଁ । କେବଳ ଛୋଟ ମାଛ ନୁହେଁ ବଡ ମାଛଙ୍କ ସମୟ ଆସୁଛି ବୋଲି ବାବୁ ସିଂ କହିଛନ୍ତି ।