କନକବ୍ୟୁରୋ : ଆଜି ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । ରଥଉପରେ ଶ୍ରୀଜିଉଙ୍କର ବଡତଢା଼ଉ ବେଶ ଵା ସୁନାବେଶ ଅନୁଷ୍ଠିତ ହେବ । ସକାଳୁ ତିନିରଥ ଉପରେ ଦୈନଦିନ ନୀତି ପରେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହେବେ ଶ୍ରୀଜିଉ । ସେଥିପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଛି । ଅପରାହ୍ନ ୫ଟାରୁ ୬ଟା ୩୦ ମଧ୍ୟରେ ଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରାଯିବ । ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ ବୋଲି ପ୍ରଶାସନ ନିଷ୍ପତି ନେଇଛି । ବେଶ ଓଲାଗି ପରେ ବଡସିଂହାର ବେଶ ଓ ରାତ୍ରପହୁଡ ହେବ ।
ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମାର୍କେଟ ଛକରୁ ଵ୍ୟାରିକେଡ଼ କରାଯାଇଛି । ଶ୍ରଦ୍ଧାଳୁ ମାର୍କେଟ ଛକରୁ ଵ୍ୟାରିକେଡ୍ରେ ଆସି ବେଶ ଦେଖିବା ପରେ ତିନିରଥ ପଛପଟ ରାସ୍ତା ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି । ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡତଢାଉ ବେଶ ଅନ୍ୟତମ । ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ । ଏହି ମନମୁଗ୍ଧକର ବେଶ ବର୍ଷକରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।