କନକ ବ୍ୟୁରୋ : ମାର୍କସବାଦୀ ଚିନ୍ତାଧାରର ବ୍ୟକ୍ତି ଅନୁରା କୁମାରା ଦିଶାନାୟକେ ଏବେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେପ୍ଟେମ୍ବର ୨୧ ତାରିଖରେ ଅନୁଷ୍ଠିତ ହୋଇଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ନିିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସାଜିଥ୍ ପ୍ରେମଦାସାଙ୍କୁ ପାଖାପାଖି ୧୩ ଲକ୍ଷରୁ ଅଧିକ ଭୋଟରେ ପରାଜିତ କରିଛନ୍ତି । ଦିଶାନାୟକେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ୨୧ ତାରିଖରେ ଶପଥ ନେଇଛନ୍ତି । ବାମପନ୍ଥୀ ନେତା ଅନୁରା ଜନତା ବିକୁକ୍ତି ପେରାସୁନା ବା ଜେବିପି ପାର୍ଟିର ମୁଖ୍ୟ ଅଟନ୍ତି । ଜେବିପିକୁ ଭାରତ ବିରୋଧୀ ଓ ଚୀନ ସମର୍ଥକ ପାର୍ଟି ବୋଲି କୁହାଯାଇଥାଏ । ଅନୁରାଙ୍କ ହାତକୁ ଶ୍ରୀଲଙ୍କାର କ୍ଷମତା ଆସିବା ପରେ ଏହା ଭାରତ ପାଇଁ ଶୁଭଙ୍କର ନୁହେଁ ବୋଲି କୁହାଯାଉଛି । 

Advertisment

ଶ୍ରୀଲଙ୍କାର ଏକ ପ୍ରମୁଖ ଗଣମାଧ୍ୟମର ରିପୋର୍ଟ ମୁତାବକ ଅନୁରା ଦିଶାନାୟକେ ଯିଏ କି ଏକେଡି ନାମରେ ପରିଚିତ ତାଙ୍କର ଚୀନ ସହ ଥିବା ମଧୁର ସଂପର୍କ କାହାକୁ ଅଛପା ନାହିଁ । ଶ୍ରୀଲଙ୍କାରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ବେଜିଂର ପ୍ରୟାସ ସମସ୍ତଙ୍କୁ ଜଣା । ଶ୍ରୀଲଙ୍କା ତାର ହମ୍ବନାଟୋଟା ବନ୍ଦରକୁ ୯୯ ବର୍ଷ ପାଇଁ ଲିଜରେ ବେଜିଂକୁ ଦେଇଛି । ଶ୍ରୀଲଙ୍କାର ଅଭ୍ୟନ୍ତରୀଣ ରାଜନୀତି ଉପରେ ନଜର ରଖିଥିବା ଭଗବାନ ସିଂ କହିଛନ୍ତି କି ଏକେଡିଙ୍କ ବିଜୟ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କାରଣ ଏକେଡି ଜଣେ ଚୀନ ସମର୍ଥକ ବୋଲି ସମସ୍ତଙ୍କୁ ଜଣାଅଛି । 

୧୯୮୭ ମସିହାରେ ଭାରତୀୟ ଶାନ୍ତିରକ୍ଷା ବାହିନୀ ବିରୋଧରେ ଏକେଡିଙ୍କ ନେତୃତ୍ୱାଧୀନ ଜେବିପି ଯେଭଳି ଆଗକୁ ଆସିଥିଲା, ଏକେଡି ସେହି ସମୟରେ ପ୍ରସିଦ୍ଧ ହୋଇଥିଲେ । ତାଙ୍କ ଦଳ ୧୯୮୭ ମସିହାରେ ଭାରତ-ଶ୍ରୀଲଙ୍କା ଚୁକ୍ତିକୁ ବିରୋଧ କରିଥିଲା । ଯାହାକୁ ତକ୍ରାଳୀନ ଶ୍ରୀଲଙ୍କା ରାଷ୍ଟ୍ରପତି ଜେ.ଆର ଜୟବର୍ଦ୍ଧନ ଓ ଭାରତୀ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସ୍ୱାକ୍ଷର କରିଥିଲେ । ଏକେଡିଙ୍କ ବିଜୟ ଏବେ ଭାରତ ପାଇଁ ଚିନ୍ତା ବଢାଇଛି । ହେଲେ ଗତ କିଛିବର୍ଷ ହେବ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସଂପର୍କ ଭଲ ରହିଛି । ହାସହ ୨୦୨୨ ରେ ଶ୍ରୀଲଙ୍କାକୁ ୪ ବିଲିୟନ ଡଲାର ସହାୟତା ଦେଇଛି । ଏହାପରେ ଶ୍ରୀଲଙ୍କାରେ ଅଟକି ରହିଥିବା ଭାରତର ଅନେକ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ହେଲେ ଏକେଡି ସରକାର ଏହି ପ୍ରକଳ୍ପ କାମକୁ ବନ୍ଦ କରିପାରନ୍ତି ବୋଲି ଆଶା କରାଯାଉଛି । 

ଏକେଡି ଜଣେ ଚୀନ ସମର୍ଥକ ଓ ଭାରତ ବିରୋଧୀ ପାଇଁ ସେ ଜଣାଶୁଣା । ହେଲେ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି କି ନୂଆଦିଲ୍ଲୀକୁ ଅଣଦେଖା କରିବା ଶ୍ରୀଲଙ୍କା ପାଇଁ କଷ୍ଟକର ହେବ । ଏହାସହ ଦିସାନାୟକେ କିଛିଦିନ ହେବ ଭାରତ ସହ ଭଲ ସଂପର୍କ ରଖିବା ନେଇ ଉତ୍ସୁକତା ଦେଖାଉଥିଲେ । ଶ୍ରୀଲଙ୍କାର ସାର୍ବଭୌମତ୍ୱ ଏବଂ ସ୍ୱାର୍ଥ ସୁନିଶ୍ଚିତ କରିବାକୁ ଭାରତର ଗୁରୁତ୍ୱକୁ ଦିସାନାୟକେ ବୁଝିଛନ୍ତି । ଚଳିତବର୍ଷ ଫେବୃଆରୀମାସରେ ଦିସାନାୟକେ ଭାରତ ଗସ୍ତରେ ଆସିଥିଲେ । ଏହି ସମୟରେ ସେ ଭାରତର ବୈଦେଶିକମନ୍ତ୍ରୀ ଏସ୍ ଜୟଶଂକର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଥିଲେ । 

ବିଶେଷଜ୍ଞଙ୍କ ମତରେ ଚୀନକୁ ନେଇ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପଦକ୍ଷେପ ଉପରେ ଭାରତ ନଜର ରଖିବ । କେବଳ ଭାରତ ମହାସାଗର ଅଞ୍ଚଳରେ ନିଜର ରଣନୈତିକ ସ୍ୱାର୍ଥ ପାଇଁ ନୁହେଁ ବରଂ ତାମିଲ ସମସ୍ୟାର ସମାଧାନ ପାଇଁ ନୂଆଦିଲ୍ଲୀ କଲମ୍ବୋ ସହ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ବଜାୟ ରଖିବା ଆବଶ୍ୟକ ।