କନକ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର । ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏହା ପରେ ହେଡକ୍ବାର୍ଟର ଛାଡ଼ି ନଯିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଯେକୌଣସି ପରିସ୍ଥିତି ଆସିଲେ, ତାର କିପରି ମୁକାବିଲା କରାଯିବ ତା’ ଉପରେ ଗୁରୁତ୍ବ ଦେଇଛନ୍ତି ଏସଆରସି । ଆବଶ୍ୟକ ହେଲେ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମୁତୟନ କରାଯିବ । ଲଘୁଚାପଟି ଅବପାତରେ ପରିଣତ ହେଲେ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ପଡ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ, ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିନା ଅନୁମତିରେ ଯେପରି ଜିଲ୍ଲାର କୌଣସି ଅଧିକାରୀ ହେଡକ୍ବାର୍ଟର ଛାଡ଼ିପାରିବେନି ସେନେଇ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଜିଲ୍ଲାରେ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖାଯାଇଛି ।