କନକ ବ୍ୟୁରୋ : ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ପିଇବା ଘଟଣାରେ ଆଉ ଜଣଙ୍କ ଜୀବନ ଯାଇଛି । ଜେନାପୁର ଗାଁର ଲକ୍ଷ୍ମଣ ବେହେରାଙ୍କ ମୃତ୍ୟୁ ହୋଇଛି ।  ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମଣ ବେହେରାଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ଦିନ ଧରି ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ପୂର୍ବରୁ ଜେନାପୁର ଗାଁର ଜୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ବିଷାକ୍ତ ମଦ ପିଇ ଚିକିଟିରେ ଆଉ ଜଣଙ୍କ ମୃତ୍ୟୁ ପରେ ବିଧାନସଭାରେ ଉତ୍ତେଜନା ଦେଖିବାକୁ ମିଳିଛି । ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । କହିଛନ୍ତି, ବିଜେପି ସରକାର ନିଶାମୁକ୍ତ ଓଡିଶା ଗଠନ କହି ସରକାରକୁ ଆସିଛନ୍ତି । ହେଲେ ଚିକିଟିରେ ବିଷାକ୍ତ ମଦ ପିଇ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ତେଣୁ ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା ମଲ୍ଲିକ ।

ଏହା ସହ ସରକାର ଗୃହରେ ବିବୃତି ରଖିବାକୁ ସେ ଦାବି କରିଛନ୍ତି । ପ୍ରମିଳାଙ୍କୁ ଯବାବ ଦେଇ ଚିକିଟି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତ କହିଛନ୍ତି ବିଜେଡି ନେତ୍ରୀଙ୍କ ମନ୍ତବ୍ୟ ହାସ୍ୟାସ୍ପଦ । ବିଜେଡି ୨୪ବର୍ଷ ଶାସନର କୁ-ପରିଣାମ ବିଜେପିକୁ ଭୋଗିବାକୁ ପଡୁଛି । ବିଜେଡି ଭୁଲ ନୀତି କରି ମୋହନ ସରକାରଙ୍କ ଉପରେ ଅଠା ବୋଳିବାକୁ ଚେଷ୍ଟା କରୁଛି ।