କନକ ବ୍ୟୁରୋ : ମାର୍ଚ୍ଚ ମାସ ଆରମ୍ଭରେ ତାତି ବଢ଼ିବାରେ ଲାଗିଛି। କିଛି ଦିନ ହେଲା ରାଜ୍ୟରେ ଦିନର ତାପମାତ୍ରା ବଢ଼ିବାରେ ଲାଗିଛି । ଗତକାଲି ଝାରସୁଗୁଡ଼ା ସହର ଦେଶର ସବୁଠୁ ତତଲା ସହର ପାଲଟିଛି । ସେପଟେ ପାଣିପାଗ ବିଭାଗର ଆକଳନ ଘୂର୍ଣ୍ଣିବଳୟରେ ପ୍ରଭାବରେ କେତେକ ଜିଲ୍ଲାରେ ୮ ଓ ୯ ତାରିଖରେ ଘଡ଼ଘଡ଼ି ସହ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ କମିପାରେ। କିନ୍ତୁ ୧୦ ତାରିଖ ପରଠୁ ପୁଣି ବଢ଼ିବ ଦିନର ତାତି ।
ତାତୁଛି ପଶ୍ଚିମ ଓଡ଼ିଶା... ବସନ୍ତରେ ଡହ ଡହ ଖରା ... ରେକର୍ଡ ଭାଙ୍ଗୁଛି ତାପମାତ୍ରା। ଜଳୁଛି ଝାରସୁଗୁଡ଼ା .... ସମ୍ୱଲପୁରରେ ବି ସ୍ଥିତି ଅସମ୍ଭାଳ ... ଲଗାତାର ୪ ଦିନ ହେଲା ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଗତକାଲି ଦେଶର ସବୁଠୁ ତତଲା ସହର ପାଲଟିଥିଲା ଝାରସୁଗୁଡ଼ା । କେବଳ ଝାରସୁଗୁଡ଼ା ନୁହେଁ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ାରେ ସ୍ବାଭାବିକ ତାପମାତ୍ରା ଠାରୁ ୫.୨ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ସ୍ବାଭାବିକ ଠାରୁ ୩.୨ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ତେବେ ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ପ୍ରଭାବରେ କେତେକ ଜିଲ୍ଲାରେ ୮ ଓ ୯ରେ ବର୍ଷା ହୋଇପାରେ । ବର୍ଷା ଯୋଗୁଁ ତାତିରେ ସାମାନ୍ୟ ରୋକ ଲାଗିବା ପରେ ୧୦ ତାରିଖପରଠୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି ।
ଦ୍ରୁତ ଶିଳ୍ପାୟନ ଯୋଗୁଁ ଜଳବାୟୁ ପରିବର୍ତ୍ତନ ହେଉଛି। ଫଳରେ ବସନ୍ତରେ ଗ୍ରୀଷ୍ମର ଅନୁଭୂତି ସାଧାରଣ ଲୋକଙ୍କ ଚିନ୍ତା ବଢାଇଛି। ଛୋଟ ବେପାରୀଙ୍କ କହିବା କଥା ଖରା ବଢ଼ୁଥିବାରୁ ବେପାର ମାନ୍ଦା ହେଉଛି। ଖରା ପାଇଁ ଲୋକେ ବାହାରୁ ନାହାଁନ୍ତି। ତେବେ ସମ୍ବଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ବୃଦ୍ଧିର ଅନ୍ୟତମ କାରଣ ସହରୀକରଣ ହୋଇଥିବା କୁହାଯାଉଛି। ମାର୍ଚ୍ଚ ମାସରୁ କଲବଲ କଲାଣି ତାତି। ଆଗକୁ ଭୀଷଣ ତାତିରେ ୪ ମାସ ତ୍ରାହି ତ୍ରାହି ଡାକିବେ ପଶ୍ଚିମଓଡ଼ିଶାବାସୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/a13-2026-03-06-21-37-10.jpg)