କନକ ବ୍ୟୁରୋ: ସ୍ପୋର୍ଟସ ସାଇନ୍ସ ସେଣ୍ଟର୍ ପକ୍ଷରୁ କ୍ରୀଡା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଖେଳାଳିଙ୍କୁ ଦିଆଯାଇଛି କର୍ଣ୍ଣ ସମ୍ମାନ । ଭାରତକୁ ଗର୍ବିତ କରିଥିବା ୮ ଖେଳାଳିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ସମ୍ମାନ ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ କେ. ଭି ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ସମ୍ମାନିତ କରିଛନ୍ତି । କର୍ଣ୍ଣ ସମ୍ମାନ ପାଇଥିବା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଓଡିଶାର ଜିମନାଷ୍ଟିକ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରଣତୀ ନାୟକ । ସମ୍ମାନ ଉତ୍ସବରେ ମୋଟ ୧୨ଟି ବିଭାଗରେ ୨୧ ଜଣ କ୍ରୀଡାବିତଙ୍କୁ ସମ୍ମାନିତ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଭାରୋତ୍ତଳନରେ ନାଁ କମାଇଥିବା କେ.ମାଲେଶ୍ୱରୀ । ତାଙ୍କୁ ଲାଇଫ ଟାଇମ୍ ଆଚିଭମେଂଟ ସମ୍ମାନ ମିଳିଛି ।
ମହାଭାରତରେ କର୍ଣ୍ଣଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ତାଙ୍କର ନିଷ୍ଠା ଓ ପରାକାଷ୍ଠା ସବୁବେଳେ ଗ୍ରହଣୀୟ ଥିଲା । ତେବେ ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ଏହି ସମ୍ମାନର ଏପରି ନାମକରଣ ହୋଇଛି ବୋଲି କହିଛନ୍ତି ସ୍ପୋର୍ଟସ ସାଇନ୍ସ ଇଣ୍ଡିଆର ପ୍ରତିଷ୍ଠାତା ସାର୍ଥକ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମ ଏଥର ଦ୍ୱିତୀୟ ବର୍ଷରେ ପହଞ୍ଚିଛି । ଆଗକୁ ଏହା ଜାରି ରହିବ ବୋଲି ସେ କହିଛନ୍ତି । ସେହିଭଳି କ୍ରୀଡା କ୍ଷେତ୍ରରେ ସ୍ପୋର୍ଟସ ସାଇନ୍ସ ଇଣ୍ଡିଆର କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ ବି ସିଂ ଦେଓ ।
ସ୍ପୋର୍ଟସ ସାଇନ୍ସ ଇଣ୍ଡିଆ ପକ୍ଷରୁ ୨ୟ ଥର ପାଇଁ କର୍ଣ୍ଣ ସମ୍ମାନ ପ୍ରଦାନ କରାଯାଇଛି । ଆଗକୁ ମଧ୍ୟ ଖେଳ କ୍ଷେତ୍ରରେ କୃତିତ୍ୱ ହାସଲ କରି ଦେଶ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କୁ ସମ୍ମାନିତ କରାଯିବା ଯୋଜନା ରଖିଛି ସଂସ୍ଥା ।