କନକ ବ୍ୟୁରୋ:  ଡ୍ରାଇଭର ମହାସଂଘର ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି । କିନ୍ତୁ ଏହା ଭିତରେ ଡ୍ରାଇଭର ମହାସଂଘ ଫାଳ ଫାଳ ହୋଇଯାଇଛି । କିଛି ଡ୍ରାଇଭର ପୁଣି ଥରେ ଷ୍ଟିୟରିଂ ଧରିଛନ୍ତି । ଆଉ କିଛି ଡ୍ରାଇଭର ଏବେ ବି ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ ଡ୍ରାଇଭର ମହାସଂଘର ସଭାପତି ଷ୍ଟିୟରିଂ ଧରିଥିବା ଚାଳକଙ୍କୁ ଦେଇଛନ୍ତି ଖୋଲା ଧମକ । 

Advertisment

ବସ୍ ମାଲିକ ସଂଘର ଘୋଷଣା ଅନୁସାରେ ଆଜି ସାରା ରାଜ୍ୟରେ ଗଡିଛି ଘରୋଇ ବସ୍ । ଭୁବନେଶ୍ବର, ପୁରୀ, କଟକ, କେନ୍ଦ୍ରାପଡ଼ା, ସମ୍ବଲପୁର, ବଲାଙ୍ଗୀର, ବ୍ରହ୍ମପୁର, ଯାଜପୁର ସମେତ ସବୁଠି ଘରୋଇ ବସ୍ ଚଳାଚଳ ସ୍ବାଭାବିକ ହୋଇଛି । ବସ୍ ଚଳାଚଳ କରିବା ପରେ ଯାତ୍ରୀଙ୍କ ମୁହଁରେ ହସ ଫୁଟିଛି। ଯେଉଁମାନେ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ ସେମାନେ ଆଜି ଗନ୍ତବ୍ୟସ୍ଥଳକୁ ଯାଇଛନ୍ତି। 

ବସ୍ ଚଳାଚଳ କରିବା ପରେ ଫାଳ ଫାଳ ହୋଇ ଯାଇଛି ଡ୍ରାଇଭର ମହାସଂଘ । କିଛି ଡ୍ରାଇଭର ପୁଣି ଥରେ ଗାଡ଼ି ଉପରକୁ ଉଠିବା ସହ ଷ୍ଟିୟରିଂ ଧରିଥିବାବେଳେ ଆଉ କିଛି ଡ୍ରାଇଭର ଏବେ ବି ଆନ୍ଦୋଳନ ଚଳାଇଛନ୍ତି । ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି । ଆଉ ପାଦେ ଆଗକୁ ଯାଇ ଭିଡିଓ ବାର୍ତ୍ତା ଜାରି କରି ଷ୍ଟିୟରିଂ ଧରିଥିବା ଡ୍ରାଇଭରମାନଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ଡ୍ରାଇଭର ମହାସଂଘର ସଭାପତି । 

ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ ଆନ୍ଦୋଳନ ଚଳାଇଛି । ସେବେଠାରୁ ଠପ୍ ହୋଇଯାଇଥିଲା ପରିବହନ ବ୍ୟବସ୍ଥା। ୫ଦିନ ଧରି ହନ୍ତସନ୍ତ ହୋଇଥିଲେ ରାଜ୍ୟବାସୀ । ଡ୍ରାଇଭର ମହାସଂଘ ସହ ସରକାରଙ୍କ ଆଲୋଚନା ପରେ ବି ଜିଦରେ ଅଟଳ ରହିଛନ୍ତି ଡ୍ରାଇଭରଙ୍କ ଗୋଟିଏ ଗୋଷ୍ଠୀ ।