କନକ ବ୍ୟୁରୋ: ମୋହନ ସାର୍, ନବୀନ ସାର୍…ମୁଁ ରାଜେଶ କହୁଛି । ନବମ ଶ୍ରେଣୀରେ ପାଠ ପଢେ । ମୋ ଘର କେନ୍ଦୁଝର ଜିଲ୍ଲାରେ । ଗତକାଲି ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ଥିଲା । ଏଥର ଆମ ସ୍କୁଲରେ ସାର୍ କହୁଥିଲେ ୧୦୯ ବର୍ଷ ତମ ଜୟନ୍ତୀ । ମୁଁ ତ ପାଠ ପଢିବା ଦିନରୁ ସ୍କୁଲ ପଂଚାୟତରାଜ ଦିବସ ଲାଗି ଛୁଟି ହୁଏ । ହେଲେ ଏଥର ମୋହନ ସାର୍ ସିଏମ ହେବା ପରେ ପଂଚାୟତରାଜ ଦିବସ ଏପ୍ରିଲ ୨୪ରେ ପାଳନ ହେବ ବୋଲି କହିଲେ । ତେଣୁ ମୁଁ ସ୍କୁଲ ଯାଇଥିଲି । ଆମ ସ୍କୁଲରେ ସବୁଦିନ ପ୍ରାର୍ଥନା ସରିବା ପରେ ପେପର୍ ପଢାଯାଏ । ଆଉ ମୁଁ ଯେବେ ଗୁରୁବାର ପେପର ପଢିଲି ସେଥିରେ ବିଜୁ ବାବୁଙ୍କୁ ନେଇ କେମିତି ରାଜନୀତି କରାଯାଉଛି ସେନେଇ ଲେଖାଥିଲା । ମୁଁ ଭାବିଲି ମୁଁ ତ ଛୋଟ ପିଲାଟିଏ । ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କୁ ଦେଖା କରିବାକୁ କଣ ଭୁବନେଶ୍ବର ଯାଇପାରିବି..ତେଣୁ ଭାବିଲି ଚିଠି ଲେଖିବି । ଆଉ ଏ ଚିଠି ଆପଣମାନେ ନିଶ୍ଚିତ ପଢିବେ…
ନବୀନ ସାର୍…ଆପଣ ତ ମୁଁ ଜନ୍ମହେବା ଦିନରୁ ମୁଖ୍ୟମନ୍ତ୍ରୀ ଥିଲେ । ଏବେ କିନ୍ତୁ ଆଉ ନାହାନ୍ତି । ହେଲେ ବି ଜାଣିଛନ୍ତି, ବେଳେ ବେଳେ ମୋ ସାଙ୍ଗମାନେ ଏବେ ବି ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥାନରେ ଆପଣଙ୍କ ନାଁ ଲେଖି ଦେଉଛନ୍ତି । ଆପଣ ଯେବେ ମୁଖ୍ୟମନ୍ତ୍ରୀ ଥିଲେ ସେବେ ରାଜ୍ୟର କେତେ ବିକାଶ କରିଛନ୍ତି ଆମେ ସମସ୍ତେ ଜାଣନ୍ତି । ସେଇଥି ଲାଗି ତ ଆପଣଙ୍କୁ କେନ୍ଦ୍ର ସରକାରଙ୍କଠୁ ଆରମ୍ଭ କରି ଜାତିସଂଘ ମଧ୍ୟ ପ୍ରଶଂସା କରିଛି । ଆପଣ ଯେବେ ହାରିଗଲେ ସେବେ ନୂଆ ସରକାରର ଶପଥ ଉତ୍ସବକୁ ଯାଇଥିଲେ । ଏଥିରୁ ସମସ୍ତେ ଶିଖିଲେ ରାଜନୀତିରୁ ଉର୍ଦ୍ଧ୍ବକୁ ଯାଇ ଆପଣ ଗଣତନ୍ତ୍ରକୁ ସମ୍ମାନ ଦେଇଛନ୍ତି । ଠିକ୍ ସେହିପରି ବିଜୁ ବାବୁ ଆପଣଙ୍କ ବାପା । ତାଙ୍କ ଜନ୍ମଜୟନ୍ତୀରେ ଛୁଟି ମିଳିଲା ନାହିଁ । ଆମେ ସ୍କୁଲ ଗଲୁ, ତାଙ୍କ ବିଷୟରେ ଡିବେଟ୍ ପ୍ରତିଯୋଗିତା ହେଲା । ଆମେ କେତେ କଥା ଜାଣିଲୁ । ଆପଣ କଣ ଏଥିରେ ଖୁସି ନାହାନ୍ତି କି । ମୋର ତ ଅଳ୍ପ ଜ୍ଞାନ । ହେଲେ ବି କହୁଛି, ଆପଣ ଦଳୀୟ ଆଧାରରେ ଉତ୍ସବ କରିଥାଆନ୍ତେ, ସରକାରୀ ଗସ୍ତକୁ ବି ଯାଇଥାଆନ୍ତେ । ଏଥିରେ କିଛି ଅସୁବିଧା ହୋଇନଥାନ୍ତା….ହେଲେ ଏହାକୁ ନେଇ ଏବେ ଯେଉଁ ଖବର ସବୁ ଟିଭି ଓ ଖବର କାଗଜରେ ବାହାରୁଛି ମତେ ଜମା ଭଲ ଲାଗୁନି…ସାର୍ କହିଲି ବୋଲି ମୋ ଉପରେ ରାଗିବେନି…
ମୋହନ୍ ସାର୍, ଆପଣ ତ ଆମ ଜିଲ୍ଲାର ମୁଖ୍ୟମନ୍ତ୍ରୀ । ସରକାରକୁ ଆସିବ ପରେ ଅନେକ ଯୋଜନାର ନାଁ ବଦଳାଉଛନ୍ତି ଆପଣ । ସାର୍ ଗୋଟିଏ କଥା କହିବି, ନାଁ ବଦଳାଇଦେଲେ କଣ ହେବ । ଅବଶ୍ୟ ସେଇଟା ସରକାରୀ କଥା । ସାର୍ ଆମ ସ୍କୁଲରେ ଏବେ ବି ଅନେକ ଶିକ୍ଷକ ନାହାନ୍ତି । ଖାଇବା ବି ଭଲରେ ମିଳୁନି । ହେଲେ ସାର୍ କହୁଥିଲେ ଆମ ସ୍କୁଲର ରଙ୍ଗ ପୁଣି ଥରେ ବଦଳିବ । ସାର୍ ସ୍କୁଲର ରଙ୍ଗ ବଦଳିଗଲେ ଯେତିକି ଟଙ୍କା ଖର୍ଚ୍ଚ ହେବ ସେତିକି ଟଙ୍କାରେ ଆମ ପାଇଁ ୨ ଜଣ ସାର ଆଣିଦିଅନ୍ତୁ । ସେମାନେ ଆମକୁ ଭଲ ପାଠ ପଢାଇବେ । ଆମେ ବଡ଼ ମଣିଷ ହେବୁ । ଆଉ ବାକି ରହିଲା ବିଜୁ ବାବୁଙ୍କ କଥା । ସିଏ ତ ଓଡ଼ିଶାର ବରପୁତ୍ର । ତାଙ୍କୁ ତିନୋଟି ଦେଶରୁ ସମ୍ମାନ କରାଯାଇଛି । ସେ ଆମ ପାଇଁ ଗୌରବ । ହେଲେ ସାର୍ ହଠାତ୍ ଏମିତି ଜନ୍ମଜୟନ୍ତୀକୁ ନେଇ ରାଜନୀତି କରିବା କଣ ଠିକ୍ ? ସାର୍ ଆପଣ ତ ମୋ ଜିଲ୍ଲାର ଲୋକ । ମୁଁ ଆପଣଙ୍କୁ ଭେଟିବାକୁ ଭାରି ଇଚ୍ଛା କରିଛି । ହେଲେ ସାର୍ ମୋ ଚିଠି ପାଇବା ପରେ ଏନେଇ ଉତ୍ତର ଦେବେ । ଆପଣଙ୍କ ଓ ନବୀନ ବାବୁଙ୍କ ଚିଠି ଅପେକ୍ଷାରେ ମୁଁ ରହିଲି ।
ଇତି
ଆପଣଙ୍କର ବିଶ୍ବସ୍ତ ରାଜେଶ…
(ବି: ଦ୍ର- ଏହା ଏକ ପ୍ରତୀକାତ୍ମତ ଖବର ।ପ୍ରକୃତରେ ରାଜେଶଙ୍କ ନାଁକୁ ନେଇ କେବଳ ଏକ ଖବର କରାଯାଇଛି । କାହାର ସମ୍ମାନହାନୀ କରିବାର ଉଦ୍ଦେଶ୍ୟ ଆମର ଆଦୌ ନାହିଁ )