କନକ ବ୍ୟୁରୋ: ରାଜଧାନୀରେ ହେବ ତ ମେଟ୍ରୋ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । କାରଣ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ ଟେଣ୍ଡର ବାତିଲ କରିବା ପରେ ସୋସିଆଲ ମିଡିଆରେ ସରକାରଙ୍କୁ ସାଧାରଣ ଲୋକ କିଛି ଏମିତି ପ୍ରଶ୍ନ କରିଛନ୍ତି । ବିଜେଡି ସରକାରରେ ଥିବାବେଳେ ରାଜଧାନୀରେ ମେଟ୍ରୋ ଗଡ଼ିବ ବୋଲି ଘୋଷଣା କରିଥିଲେ । ପରେ ପରେ କାମକୁ ନେଇ ଟେଣ୍ଡର ବି ହୋଇଥିଲା । ହେଲେ ଏହାରି ଭିତରେ ସରକାର ବଦଳିଥିଲା । ନୂଆ ସରକାର ଆସିବା ପରେ ମେଟ୍ରୋ ପ୍ରକଳ୍ପ କାମ ଜାରି ରହିଥିଲା । ହେଲେ ଶନିବାର ଟେଣ୍ଡରକଣ୍ଟ୍ରାକ୍ଟ ବାତିଲ କରିବା ପରେ ଚର୍ଚ୍ଚା ଜୋର ।
ମେଟ୍ରୋକୁ ନେଇ ତେଜିଲା ରାଜନୀତି
କଣ୍ଟ୍ରାକ୍ଟ ବାତିଲ କଲେ ସରକାର
ଘେରିଲେ ବିରୋଧୀ ଦଳ ନେତା
ମେଟ୍ରୋ ପ୍ରକଳ୍ପର କାମ ବିଳମ୍ବ କରୁଛି ଠିକାସଂସ୍ଥା
ଟେଣ୍ଡର ବାତିଲ କରିଦେଲେ ରାଜ୍ୟ ସରକାର
ଭୁବନେଶ୍ୱରର ମେଟ୍ରୋ ନେଇ ଦେଖାଦେଇଛି ଅନିଶ୍ଚିତତା । ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ କରିଛନ୍ତି ରାଜ୍ୟସରକାର । କାର୍ଯ୍ୟ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର କଣ୍ଟ୍ରାକ୍ଟକୁ ବାତିଲ କରାଯାଇଛି । ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ରଞ୍ଜିତ ବିଲ୍ଡକନ୍ ସହ କଣ୍ଟ୍ରାକ୍ଟ ବାତିଲ ହୋଇଛି । କଣ୍ଟ୍ରାକ୍ଟ ବାତିଲ କରିଛି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ । ପ୍ରାୟ ୮ ମାସ ହେଲା ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ନୂଆ ରୂପରେଖ ପ୍ରସ୍ତୁତ ପାଇଁ କମିଟି ହୋଇଛି । ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି । କମିଟିର ଆଉ ଥରେ ବୈଠକ ହେବ, ହେଲା ପରେ ନୂଆ ରୂପରେଖ ଓ DPR ହେବ ବୋଲି ସୂଚନା ମିଳିଛି ।
ନୂଆ ଢାଞ୍ଚାରେ ମେଟ୍ରୋର ରୁଟ୍ କଣ ରହିବ ?
କେବେ ସୁଦ୍ଧା ଆରମ୍ଭ, କେବେ ସୁଦ୍ଧା ସରିବ ପ୍ରକଳ୍ପ?
କେବେ ଲୋକଙ୍କ ସ୍ବପ୍ନ ହେବ ପୂରା
ସରକାରକୁ ଘେରିଲେ ବିରୋଧୀ ଦଳ ନେତା
ପୁରୁଣା ଟେଣ୍ଡର ବାତିଲ ହେବା ପରେ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏହାରି ଭିତରେ ରାଜନୀତି ବି ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଟେଣ୍ଡର ବାତିଲ ହେବାକୁ ନେଇ ସୋସିଆଲ ମିଡିଆରେ ଉଦବେଗ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । କହିଛନ୍ତି, ଭୁବନେଶ୍ବରକୁ ଏକ ବିଶ୍ବସ୍ତରୀୟ ସହରରେ ପରିଣତ କରିବା ଥିଲା ବିଜେଡି ସରକାରର ସ୍ବପ୍ନ । ଭୁବନେଶ୍ବରରେ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସାଙ୍ଗକୁ ଆନ୍ତର୍ଜାତିକସ୍ତରର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିସହିତ ଆଧୁନିକ ପରବହନ ସେବା ସାଙ୍ଗକୁ ଆଇଟି ଭିତ୍ତିଭୂମି ସୃଷ୍ଟି କରାଯାଇ ମନ୍ଦିରମାଳିନୀ ସହରକୁ ବିଶ୍ବସ୍ତରୀୟ ସହରରେ ପରିଣତ କରିବାକୁ ଉଦ୍ୟମ କରୁଥିଲା ବିଜେଡି ସରକାର ।
ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ସହରର ସମ୍ପ୍ରସାରଣ ଓ ମୋ ବସ୍ ରୁଟ୍ ସହ ତାଳ ଦେଇ ସମ୍ପ୍ରସାରିତ କରିବାର ଥିଲା । ସହର ମଧ୍ୟରେ ଭିଡ଼ ବୃଦ୍ଧି କରିବା ପରିବର୍ତ୍ତେ ସହରର ସମ୍ପ୍ରସାରଣ ଜରୁରୀ । ମେଟ୍ରୋ ସହର ଭଳି ଆବଶ୍ୟକତାକୁ ଉପଲବ୍ଧି କରି ବିଜେଡି ସରକାର ୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ କାମ ସାରିବାକୁ ଟାର୍ଗେଟ୍ କରିଥିଲା । କିନ୍ତୁ ଏବେ ଏହି ପ୍ରକଳ୍ପ ପାଇଁ ହୋଇଥିବା ଟେଣ୍ଡରକୁ ବାତିଲ କରିଦିଆଯାଇଛି । ଡବଲ ଇଞ୍ଜିନ୍ ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛି ବୋଲି ବିଜେଡି ସଭାପତି କହିଛନ୍ତି । ତେବେ ପୁଣି ଥରେ କେବେ ପ୍ରକଳ୍ପ ପାଇଁ ଟେଣ୍ଡର ହେଉଛି ତାହା ଦେଖିବାକୁ ବାକି ରହିଲା ।